ଉଦୟପୁର ହତ୍ୟା ମାମଲା: ଏନ୍‌ଆଇଏକୁ ତଦନ୍ତ ହସ୍ତାନ୍ତର

‘୨୬୧୧’ ନମ୍ବର ପାଇଁ ଅଧିକ ୫ହଜାର ଦେଇଥିଲା ଅଭିଯୁକ୍ତ

ନୂଆଦିଲ୍ଲୀ : ଉଦୟପୁର କୋର୍ଟ ଆଜି କହ୍ନେୟା‌ ଲାଲ୍‌ ହତ୍ୟା ମାମଲାର ତଦନ୍ତ ଭାର ଏନ୍ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା)କୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଗତ ବୁଧବାର ଦିନ ଉଦୟପୁର ହତ୍ୟା ମାମଲାର ଏନ୍‌ଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାପରେ ଆଜି ଏହି ମାମଲାର ତଦନ୍ତ ଭାର ଏନ୍‌ଆଇଏକୁ ହସ୍ତାନ୍ତର କରାଯାଇଛି। ଉଦୟପୁରରେ ଏନ୍‌ଆଇଏର ଆଉ ୪ଟି ଟିମ୍‌ ପହଞ୍ଚିଛନ୍ତି। ମାମଲାରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ଇତି ମଧ୍ୟରେ ଏହି ମାମଲାରେ ଆହୁରି ଅଧିକ ସନ୍ଦିଗ୍ଧ ଗିରଫ ହୋଇଛନ୍ତି। ୧୦ ଜଣଙ୍କୁ ପୁଲିସ ଏହି ମାମଲାରେ ପଚରା ଉଚୁରା କରୁଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଏନ୍‌ଆଇଏକୁ ରାଜ୍ୟ ଏଟିଏସ୍‌ (ଆତଙ୍କବାଦୀ ନିରୋଧ ସ୍କ୍ବାଡ୍‌) ସହଯୋଗ କରିବ।

ଉଦୟପୁର ହତ୍ୟା ଘଟଣାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହୋଇଛି। ଆଜି ଗୁରଗାଓଁରେ ଉଦୟପୁର ହତ୍ୟା ଘଟଣାକୁ ବିରୋଧ କରି ଆନ୍ଦୋଳନ ସମୟରେ ଘୃଣା ସ୍ଲୋଗାନ୍‌ ଦିଆଯାଇଥିଲା। ଗୁରଗାଓଁରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଘୃଣା ସ୍ଲୋଗାନ୍‌ ଦିଆଯାଇଥିବାରୁ ହରିୟାଣା ପୁଲିସ ଏନେଇ ମାମଲା ରୁଜୁ କରିଛି। ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଉଦୟପୁର ହତ୍ୟା ଘଟଣା ବିରୋଧରେ ଆନ୍ଦୋଳନ କରିବା ସମୟରେ ଘୃଣା ସ୍ଲୋଗାନ୍‌ ଦେଇଥିଲେ।

‘୨୬୧୧’ ନମ୍ବର ପାଇଁ ଅଧିକ ୫ହଜାର ଦେଇଥିଲା ଅଭିଯୁକ୍ତ
ଉଦୟପୁର : କହ୍ନୈୟା ଲାଲ୍‌ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତର ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଥିବା ରାଜସ୍ଥାନ ପୁଲିସ ଦାବି କରିଛି। ତେବେ ପୁଲିସ ଆଜି ପୁଣି ଏହି ମାମଲାରେ ଆଉ ଏକ ସମ୍ବେଦନଶୀଳ ସୂଚନା ଦେଇଛି। ପୁଲିସ ଅନୁଯାୟୀ ହତ୍ୟାରେ ସମ୍ପୃକ୍ତ ଜଣେ ହତ୍ୟାକାରୀ ରିୟାଜ ଅଖତାରୀର ମୋଟରସାଇକେଲ୍‌ର ନମ୍ବର‌ ପ୍ଲେଟ୍‌ ‘୨୬୧୧’। ପୁଲିସ ଏହି ‘୨୬୧୧’ ନମ୍ବରକୁ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସହ ଯୋଡ଼ିଛି। ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣ ଆଧାରରେ ପୁଲିସ ଏବେ ଏହି ମାମଲାର ତଦନ୍ତ ଆରମ୍ଭ କରିବ। ଏହି ସମାନ ଗାଡ଼ିରେ ମଧ୍ୟ ଉଭୟ ହତ୍ୟାକାରୀ ଜିଓଏସ୍‌ ମହମ୍ମଦ ଏବଂ ରିୟାଜ ଅଖତାରୀ କହ୍ନେୟା ଲାଲ୍‌ଙ୍କ ଦୋକାନ ଯାଇ ତାଙ୍କ ତଣ୍ଟିକାଟି ହତ୍ୟା କରିଥିଲେ। ଆର୍‌ଜେ ୨୭ ଏଏସ୍‌ ୨୬୧୧ ପଂଜିକରଣ ନମ୍ବର ଥିବା ଏହି ଗାଡ଼ି ଏବେ ଉଦୟପୁରର ଧାନ ମଣ୍ଡି ଥାନାରେ ପଡ଼ିଛି। ପୁଲିସ ସୂଚନାନୁଯାୟୀ ରିୟାଜ ସ୍ବେଚ୍ଛାକୃତ ଭାବେ ୨୬୧୧ ନମ୍ବର ଚାହିଥିଲା ଏବଂ ଏହି ନମ୍ବର ପ୍ଲେଟ୍‌ ପାଇବା ପାଇଁ ୫ ହଜାର ଦେଇଥିଲା। ପୁଲିସ ଅନୁଯାୟୀ ଏହି ନମ୍ବର ପ୍ଲେଟ୍‌ ଆଧାରରେ ତଦନ୍ତ କଲେ ରିୟାଜ ୨୦୧୪ ପରଠାରୁ କ’ଣ କରିଛି ତାହା ଜଣାପଡ଼ିଛି। ରିୟାଜର ପାସପୋର୍ଟରୁ ଜଣାପଡ଼ିଛି ଯେ ସେ ୨୦୧୪‌‌ରେ ନେପାଳ ଯାଇଥିଲା। ତା’ ମୋବାଇଲ ଡାଟାରୁ ମଧ୍ୟ ଜଣାପଡ଼ିଛି ଯେ ସେ ପାକିସ୍ତାନୀ ନମ୍ବରରେ କଲ୍‌ କରୁଥିଲା। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ରେକର୍ଡ ଅନୁଯାୟୀ ରିୟାଜ ଅଖତାରୀ ୨୦୧୩ରେ ଏଚଡିଏଫ୍‌ସିରୁ ଋଣ ନେଇ ଗାଡ଼ି କିଣିଥିଲା। ଗାଡ଼ି ଇନସୁରାନ୍ସ ୨୦୧୪ ମାର୍ଚ୍ଚରେ ଶେଷ ହୋଇସାରିଛି।

ଆଉ ୨ ଗିରଫ
ଉଦୟପୁର : ଉଦୟପୁର ହତ୍ୟା‌ ମାମଲାରେ ଆଜି ଅଧିକ ୨ ଜଣ ଗିରଫ ହୋଇଛନ୍ତି। ଆଇଜି ପ୍ରଫୁଲ୍ଲ କୁମାର କହିଛନ୍ତି, ମାମଲାରେ ଅଧିକ ୨ ଜଣ ଗିରଫ ହୋଇଛନ୍ତି। ସେମାନେ ସମଗ୍ର ଅପରାଧର ଷଡ଼ଯନ୍ତ୍ର ଏବଂ ଯୋଜନା କରିଥିଲେ। ଅନ୍ୟପକ୍ଷେ ହତ୍ୟା ଘଟାଇଥିବା ୨ ଅଭିଯୁକ୍ତ ରିୟାଜ ଅଖତାରୀ ଏବଂ ଘୋସ ମହମ୍ମଦକୁ ଆଜି କୋର୍ଟରେ ହାଜର କରାଯାଇଛି। ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ସମ୍ବନ୍ଧିତ ଖବର