ଉଦୟପୁର: ଜୁନ୍ ୨୮ରେ ରାଜସ୍ଥାନର ଉଦୟପୁରରେ ଦର୍ଜି କହ୍ନୈୟା ଲାଲଙ୍କୁ ନିର୍ମମ ଭାବେ ହାତ୍ୟା କରିଥିଲେ ଦୁଇ ଯୁବକ। କହ୍ନୈୟାଙ୍କ ଦୋକାନକୁ ଯାଇ ତାଙ୍କ ଗଳା କାଟିବା ସହ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ ଅଭିଯୁକ୍ତ। ଏବେ ଦୁହିଁଙ୍କୁ ପୁଲିସ ଗିରଫ କରିଥିବା ବେଳେ ଜୁନ ୧୫ରୁ ଅଭିଯୁକ୍ତଙ୍କ ସହ କହ୍ନୈୟାଙ୍କ ଛକାପଞ୍ଛା ଚାଲିଥିଲା ବୋଲି ସାମ୍ନାକୁ ଆସିଛି।

Advertisment

ମିଳିଥିବା ସୂଚନା ମୁତାବକ, ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସମର୍ଥନ କରି କହ୍ନୈୟା ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ତାଙ୍କୁ ଜୁନ୍ ୧୧ରେ ଗିରଫ କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। ଜୁନ୍ ୧୫ରେ, ସେ ପୁଲିସ ପାଖକୁ ଯାଇ ତାଙ୍କୁ ହତ୍ୟା ଧମକ ମିଳୁଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗରେ ସେ ଦାବି କରିଛନ୍ତି ଯେ, ମୋ ପୁଅ ମୋବାଇଲ୍ ଫୋନରେ ଗେମ୍ ଖେଳୁଥିବା ବେଳେ ଭୁଲବଶତଃ ସୋସିଆଲ ମିଡିଆରେ ନୂପୁର ଶର୍ମାଙ୍କୁ ନେଇ ପୋଷ୍ଟ କରିଥିଲା। ମୁଁ ସେ ବିଷୟରେ ଜାଣିନଥିଲି। ଦୁଇ ଦିନ ପରେ ଦୁଇଜଣ ବ୍ୟକ୍ତି ଆସି ମୋ ଫୋନ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ଏହା ପରେ ମୋତେ ‌ଏବେ ଦୋକାନ ଖୋଲିବାକୁ ଦିଆଯାଉନାହିଁ ଏବଂ ହତ୍ୟା ଧମକ ଦିଆଯାଉଛି। ଦୟାକରି ଏହି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ମୋତେ ଦୋକାନ ଖୋଲିବାରେ ସାହାଯ୍ୟ କରିବା ସହ ମୋତେ ସୁରକ୍ଷା ଦିଅନ୍ତୁ।

କହ୍ନୈୟାଙ୍କ ଏଭଳି ଅଭିଯୋଗ ପରେ ପୁଲିସ ଦୁଇ ପକ୍ଷଙ୍କୁ ଡାକି ବୁଝାସୁଝା କରିଥିଲା ଏବଂ ଏବେ ଆଉ ପୁଲିସର ସହାୟତା ଦରକାର ନାହିଁ ବୋଲି କହ୍ନୈୟା ଲିଖିତ ଆକାରରେ ପୁଲିସକୁ ଦେଇଥିଲେ। ହେଲେ ମନରେ ଡର ଥିବାରୁ ସପ୍ତାହେ ଧରି ଦୋକାନ ଖୋଲିନଥିଲେ କହ୍ନୈୟା। ହେଲେ ସପ୍ତାହେ ପରେ ଜୁନ୍ ୨୮ରେ ସେ ଦୋକାନ ଖୋଲିବାର କିଛି ସମୟ ପରେ ତାଙ୍କର ଗଳା କାଟି ହତ୍ୟା କରିଦିଆଯାଇଥିଲା। ପୁଲିସର କହିବା ମୁତାବକ, ଯେଉଁମାନେ ଧମକ ଦେଇଥିଲେ ସେମାନେ କହ୍ନୈୟାଙ୍କୁ ହତ୍ୟା କରିନାହାନ୍ତି।