ମୁମ୍ବାଇ : ନିର୍ବାଚନ କମିସନ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ‌ନେତୃତ୍ବାଧୀନ ସେନା ଗୋଷ୍ଠୀକୁ ‘ଶିବସେନା’ ନାମ ଏବଂ ଦଳର ‘ଧନୁ ଓ ତୀର ଚିହ୍ନ’ ପ୍ରଦାନ କରିଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଶକ୍ତ ଝଟ୍‌କା ଲାଗିଛି। ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକ୍‌ରେ ଶନିବାର ସମର୍ଥକମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନିର୍ବାଚନ କମିସନ୍‌ଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି। ଠାକ୍‌ରେ କହିଛନ୍ତି, ଗତ ୭୫ ବର୍ଷ ମଧ୍ୟରେ ଏଭଳି ଝଟ୍‌କା କେବେ କୌଣସି ଦଳକୁ ଲାଗିନି। ଯଦି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବୁଛନ୍ତି ଯେ ସେମାନଙ୍କ ଦ୍ବାରା ଦାସ ଭଳି ପରିଚାଳିତ କିଛି ସରକାରୀ ସଂସ୍ଥା ଶିବସେନାକୁ ଶେଷ କରିଦେବେ ତେବେ ଏହା ସମ୍ଭବ ନୁହେଁ। ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ସେ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଛନ୍ତି। ଠାକ୍‌ରେ କହିଛନ୍ତି, ଜଣେ ନିର୍ବାଚନ କମିସନର ଅବସର ପରେ ଏକ ରାଜ୍ୟର ରାଜ୍ୟପାଳ ହୋଇପାରିବେ। କାରଣ ଜଣେ ବିଚାରପତି ଅବସର ନେବାପରେ ଏଠି ରାଜ୍ୟପାଳ ହେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଚାରିପାଖରେ ଏଭଳି ଦାସ ସବୁ ରଖିଛନ୍ତି।

Advertisment

ଠାକ୍‌ରେ କହିଛନ୍ତି, ମହାରାଷ୍ଟ୍ରକୁ ଆସିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାଲାସାହେବ ଠାକ୍‌ରେଙ୍କ ମାସ୍କ ପିନ୍ଧିବା ଆବଶ୍ୟକ ପଡ଼ିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସି‌ନ୍ଦେଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି। ସିନ୍ଦେଙ୍କ ‌ନେତୃତ୍ବାଧୀନ ଶିବସେନାକୁ ସିଧାସଳଖ ଚ୍ୟାଲେଂଜ କରି ଠାକରେ କହିଛନ୍ତି, ଚୋରମାନଙ୍କୁ ପବିତ୍ର ‘ଧନୁ ଏବଂ ତୀର’ ଚିହ୍ନ ମିଳିଛି। ସେମାନେ ମଶାଲ ଚିହ୍ନକୁ ବି ନେଇଯି‌ବାକୁ ଷଡ଼ଯନ୍ତ୍ର କରୁଛନ୍ତି। ତେବେ ମୁଁ ସେମାନଙ୍କୁ ଚ୍ୟାଲେଞ୍ଜ କରୁଛି, ଯଦି ସେମାନେ ମଣିଷ ତେବେ ସେମାନେ ଚୋରି କରିନେଇଥିବା‌ ଧନୁ ଏବଂ ତୀର ଚିହ୍ନ ସହ ଆମ ସାମ୍ନାକୁ ଆସନ୍ତୁ। ଆମେ ମଶାଲ ସହ ନିର୍ବାଚନ ଲଢ଼ିବୁ। ଏବେଠୁ ଯୁଦ୍ଧ ଆରମ୍ଭ ହେଲା। ଉଦ୍ଧବ ଠାକ୍‌ରେ ଆଜି ତାଙ୍କ ସମର୍ଥକ ଏବଂ ଦଳୀୟ ନେତାମାନଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି।