ସାଂସଦଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ‌ଲେ ଠାକ୍‌ରେ; ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ରାଜି ହେଲେ

ମୁମ୍ବାଇ: ନିଜ ଦଳର ସାଂସଦମାନଙ୍କ ଦାବି ଆଗରେ ଶେଷରେ ମୁଣ୍ଡ ନୁଆଁଇଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସାଂସଦମାନଙ୍କ ଦାବି ପରେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଠାକ୍‌ରେ ରାଜି ହୋଇଛନ୍ତି। ସୋମବାର ଠାକ୍‌ରେଙ୍କ ବାସଭବନରେ ସାଂସଦମାନେ ତାଙ୍କୁ ଭେଟି ଆଲୋଚନା କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଠାକ୍‌ରେଙ୍କ ଏହି ନିଷ୍ପତ୍ତି ଜୁଲାଇ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳୀୟ ପ୍ରାର୍ଥୀ ଜଶୱନ୍ତ ସିହ୍ନାଙ୍କ ପାଇଁ ଏକ ବିରାଟ ପ୍ରତିବନ୍ଧକ ହେବ।

ମହାରାଷ୍ଟ୍ରର ଶିବଶେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବାକୁ ଥିବା ଏକ ପ୍ରମୁଖ ବୈଠକରେ ୧୨ ଜଣ ସାଂସଦ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଂସଦ ରା‌ଷ୍ଟ୍ରପତି ପଦବୀ ପାଇଁ ଏନ୍‌ଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ନିଜର ସମର୍ଥନ ଜଣାଇଥିଲେ। ତେବେ ବୈଠକରେ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କିନ୍ତୁ ତାଙ୍କର ସମର୍ଥନ ଜଶୱନ୍ତ ସିହ୍ନାଙ୍କୁ ଦେଇଥିଲେ।

ଆପଣଙ୍କ ସୂଚନା ସକା‌ଶେ ଜଣାଇ ଦେଉଛୁ ଯେ, ଗତକାଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ବାସଭବନ ମାତୋଶ୍ରୀରେ ଶିବସେନା ସାଂସଦଙ୍କ ବୈଠକରେ ୧୨ ଜଣ ସାଂସଦ ପହଞ୍ଚିଥିବା ବେଳେ ଆଉ ୭ ଜଣ ସାଂସଦ ପହଞ୍ଚିନଥିଲେ। ଶିବସେନାରେ ଲୋକସଭାରେ ମୋଟ ୧୯ ସାଂସଦ ଅଛନ୍ତି। ଏମଧ୍ୟରେ ୭ ଜଣ ବୈଠକରେ ନପହଞ୍ଚିବାରୁ ସେମାନେ ଉଦ୍ଧବଙ୍କ ସାଥ୍ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଏହାପୂର୍ବରୁ ମଧ୍ୟ କିଛି ସାଂସଦ ଉଦ୍ଧବ ଠାକରେଙ୍କୁ ଏକନାଥ ସିନ୍ଦେଙ୍କ ସହ ମେଣ୍ଟ କରିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର