ଦିନେ ନା ଦିନେ ଔରଙ୍ଗାବାଦର ନାଁ ବଦଳାଇ ସାମ୍ଭାଜୀ ନଗର କରିବି : ଉଦ୍ଧବ

ମୁମ୍ବାଇ : ମହାରାଷ୍ଟ୍ରର ଔରଙ୍ଗାବାଦ ସହରକୁ ନିଶ୍ଚିତ ଭାବରେ ସାମ୍ଭାଜୀ ନଗର ଭାବେ ନାମିତ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ।

ସେ କହିଛନ୍ତି ଯେ ଔରଙ୍ଗାବାଦକୁ ସାମ୍ଭାଜୀ ନଗର ଭାବେ ନାମିତ କରିବାକୁ ତାଙ୍କ ପିତା ବାଲା ସାହେବ ଠାକରେ ପ୍ରତିଶ୍ରୁତି ଦେଇଥିଲେ । ଏଣୁ ସେ ବାଲା ସାହେବଙ୍କ ପ୍ରତିଶ୍ରୁତି ନିଶ୍ଚିତ ଭାବେ ପାଳନ କରିବେ ।

ହିନ୍ଦୁତ୍ବ ଆମ ରକ୍ତରେ ରହିଛି…ମୁଁ ମୋ ପିତାଙ୍କ ପ୍ରତିଶ୍ରୁତି ଭୁଲିନାହିଁ ତାହାକୁ ନିଶ୍ଚିତ ଭାବେ ପୂରଣ କରିବି ବୋଲି ଉଦ୍ଧବ କହିଛନ୍ତି  ।

ସୂଚନାଯୋଗ୍ୟ ଯେ ଔରଙ୍ଗାବାଦ ସହର ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ନାମରେ ନାମିତ ହୋଇଛି । ଏହାର ନାମ ବଦଳାଇବାକୁ ବିଜେପି ଦାବି କରୁଛି । କିନ୍ତୁ ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ସହିତ ମେଣ୍ଟ ସରକାର ଚଳାଉଥିବା ଶିବସେନା ଏହାକୁ ନେଇ ଅକଳରେ ପଡ଼ିଯାଇଛି ।

ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ନିଜକୁ ହିନ୍ଦୁତ୍ବର ପୁରୋଧା କହୁଥିବା ବିଜେପି କଶ୍ମୀରରେ ହନୁମାନ ଚାଳିସା ଗାଉ । ସେଠାରେ ପ୍ରବାସୀ ଶ୍ରମିକ ଓ ପଣ୍ଡିତମାନଙ୍କୁ ହତ୍ୟା କରାଯାଉଛି । ଯଦି ସାହାସ ଅଛି ସେଠାରେ ଯାଇ ହନୁମାନ ଚାଳିସା ଗାଉ । ମହାରାଷ୍ଟ୍ରରେ ବିଜେପି ଏପରି ସ୍ଥିତି ସୃଷ୍ଟି କରୁଛି ଯେପରିକି ଏଠାରେ କିଛି ଠିକ ନାହିଁ ।

ତେବେ ଉଦ୍ଧବ ଠାକରେ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ଶିବଲିଙ୍ଗ ବୟାନକୁ ସ୍ବାଗତ କରିଛନ୍ତି । ପ୍ରତି ମନ୍ଦିର ତଳେ ଶିବଲିଙ୍ଗ ନ ଖୋଜିବାକୁ ଭାଗବତ ଗତ ସପ୍ତାହରେ କହିଥିଲେ ।

ସମ୍ବନ୍ଧିତ ଖବର