ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ : ଗୁରୁବାର ଦିନ ହେବାକୁ ଥିବା ଆସ୍ଥାଭୋଟର ସମ୍ମୁଖୀନ ହେବା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ଏହା ସହିତ ମହାରାଷ୍ଟ୍ରରେ ଗତ ଅଢେଇ ବର୍ଷ ଧରି ଶାସନ କରୁଥିବା ମହାବିକାଶ ଅଘାଡି (ଏମଭିଏ) ସରକାରର ପତନ ହୋଇଛି ।

ବୁଧବାର ରାତିରେ ଏକ ଟେଲିଭିଜନରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟର ନିଜର ଅଭିଭାଷଣ ରଖିବା ସହ ଉଦ୍ଧବ ଇସ୍ତଫା ଘୋଷଣା କରିଥିଲେ । ତାଙ୍କୁ ସମର୍ଥନ ଦେବା ପାଇଁ ସେ କଂଗ୍ରେସ ଓ ଏନସିପିକୁ ଧନ୍ୟବାଦ ଦେଇଥିଲେ ।

ଆସନ୍ତା କାଲି ଅର୍ଥାତ ଗୁରୁବାରଦିନ ମହାରାଷ୍ଟ୍ର ବିଧାନସଭାରେ ଆସ୍ଥାଭୋଟ ଆୟୋଜନା କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ଶିବସେନା ସୁପ୍ରିମକୋର୍ଟ ଯାଇଥିଲେ ବି ସୁପ୍ରିମକୋର୍ଟ ସେଥିରେ ହସ୍ତକ୍ଷେପ କରିନଥିଲେ ।

ଗତ ଜୁନ ୨୨ରେ ଏକନାଥଙ୍କ ନେତୃତ୍ବରେ ୨୨ ଜଣ ଅସନ୍ତୁଷ୍ଟ ବିଧାୟକ ଗୁଜୁରାଟର ସୁରତର ଏକ ହୋଟେଲକୁ ପଳାଇଯିବା ପରେ ମହାରାଷ୍ଟ୍ର ସରକାରଙ୍କ ଉପରକୁ ବିପଦ ଘନେଇ ଆସିଥିଲା । ପରେ ସିନ୍ଦେ ଗୋଷ୍ଠୀ ସୁରତ ଛାଡ଼ି ଆସାମର ରାଜଧାନୀ ଗୌହାଟୀ ପଳାଇଯାଇଥିଲେ । ପରେ ସେମାନଙ୍କ ସହ ଆଉ କିଛି ବିଦ୍ରୋହୀ ବିଧାୟକ ଯୋଗ ଦେବା ପରେ ମୋଟ ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୩୯ରେ ପହଞ୍ଚିଥିଲା । ଏହା ପରେ ହିଁ ଶିବସେନା ସରକାର ସଂଖ୍ୟାଲଘୁ ହୋଇଯାଇଥିଲା ।

 

ସମ୍ବନ୍ଧିତ ଖବର