ନୂଆଦିଲ୍ଲୀ: ଉଦ୍ଧବ ଠାକ୍ରେଙ୍କ ନେତୃତ୍ବାଧୀନ ଶିବସେନାର ସାଂସଦ ଅରବିନ୍ଦ ସାୱନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀର ନେତ୍ରୀ ଶାଇନା ଏନ୍ସିଙ୍କ ବିରୋଧରେ ଅଶାଳୀନ ଟିପ୍ପଣୀ ଦେଇ ବିବାଦ ସୃଷ୍ଟି କରିଛନ୍ତି। ସାୱନ୍ତ କହିଛନ୍ତି, ‘ତାଙ୍କ ସ୍ଥିତିକୁ ଟିକେ ଦେଖ। ଜୀବନ ସାରା ସେ ବିଜେପିରେ ରହିଲେ ଆଉ ଏବେ ସେ ଆଉ ଏକ ଦଳକୁ ଗଲେ। ଏଠାରେ ‘ ଆମଦାନି ମାଲ୍’ କିଛି କାମକୁ ନୁହେଁ। ଏଠି ‘ବାସ୍ତବ ମାଲ୍’ କାମ ଦେବ। ତାଙ୍କର ଏହି ଟିପ୍ପଣୀକୁ ନେଇ ବିବାଦ ହେବାପରେ ସେ କହିଛନ୍ତି, ମହାୟୁତି (ବିଜେପି-ଶିବସେନା-ଏନ୍ସିପି) ନେତାମାନେ ତାଙ୍କ ବିରୋଧରେ ମିଥ୍ୟା ପ୍ରଚାର କରିବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ସେମାନେ ମୋ ଟିପ୍ପଣୀକୁ କଦର୍ଥ କରିଛନ୍ତି।
ମୁଁ କହିଲି ଯେ ଅମିନ ପଟେଲ ହେଉଛନ୍ତି ସ୍ଥାନୀୟ ଏବଂ ସେ ବାହାରୁ ଆସିଛନ୍ତି। ତେଣୁ ମୁମ୍ବାଦେବୀ ନିର୍ବାଚନମଣ୍ଡଳୀରେ ଆମଦାନି ମାଲ୍ ଗ୍ରହଣୀୟ ହେବନାହିଁ। ଉଲ୍ଲେଖଯୋଗ୍ୟ, ମୁମ୍ବାଦେବୀରେ କଂଗ୍ରେସ ବିଧାୟକ ପଟେଲ ହେଉଛନ୍ତି ବିରୋଧୀ ଏମଭିଏ ମେଣ୍ଟର ଜଣେ ପ୍ରାର୍ଥୀ। ତେବେ ସାୱନ୍ତଙ୍କର ଏହି ଟିପ୍ପଣୀ ପାଇଁ ଶାଇନା ତାଙ୍କ ଉପରେ ବର୍ଷିଛନ୍ତି। ଶାଇନା କହିଛନ୍ତି, ସେ ଯାହା କହିଛନ୍ତି, ତାହା ତାଙ୍କ ମାନସିକତାର ପ୍ରତିଫଳନ ଏବଂ ଲୋକମାନେ ତାଙ୍କୁ ଏବଂ ତାଙ୍କ ଦଳକୁ ଏଥିପାଇଁ ଶିକ୍ଷା ଦେବେ । ଶାଇନା କହିଛନ୍ତି, ମୁମ୍ବାଦେବୀର ପ୍ରତି ମହିଳାଙ୍କୁ ସେ ‘ମାଲ୍’ ବୋଲି ଭାବୁଛନ୍ତି କି। ଆପଣ ଜଣେ ମହିଳାଙ୍କୁ ସମ୍ମାନ ଦେଇପାରୁନାହାନ୍ତି। ରାଜନୀତିରେ ଥିବା ଜଣେ ଦକ୍ଷ ମହିଳାଙ୍କ ପାଇଁ ଆପଣ ଏଭଳି ଶବ୍ଦ ବ୍ୟବହାର କରୁଛନ୍ତି। ଏଥିପାଇଁ ଆପଣଙ୍କୁ କ୍ଷମା ମାଗିବାକୁ ପଡ଼ିବ।