ମୁମ୍ବାଇ: ଆଜି ଶିବସେନା ପକ୍ଷରୁ ସେନା ଭବନରେ ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ ଡକାଯାଇଥିଲା। ଅପରାହ୍ନ ୧ଟାରେ ବୈଠକ ଆରମ୍ଭ ହୋଇଥିବା ବେଳେ ଏହି ବୈଠକରେ ୧୬ଜଣ ବିଦ୍ରୋହୀ ବିଧାୟକ ଯୋଗ ଦେଇନଥିଲେ। ଯୋଗ ଦେଇନଥିବା ୧୬ଜଣଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବେଳେ ଉଦ୍ଧବ ଠାକରେଙ୍କୁ ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ଦିଆଯାଇଛି।
ଶିବସେନା ବୈଠକରେ ପାରିତ ହୋଇଥିବା ଚାରିଟି ସଂକଳ୍ପ ମଧ୍ୟରେ ସବୁଠାରୁ ପ୍ରମୁଖ ସଂକଳ୍ପ ହେଉଛି ଯେ ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ଉଦ୍ଧବ ଠାକରେଙ୍କୁ ଦିଆଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ଯଦି ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ବାଲାସାହେବଙ୍କ ନାମ ବ୍ୟବହାର କରାଯାଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଉଦ୍ଧବ ଠାକରେ ସ୍ପଷ୍ଟ କରିଛନ୍ତି ଯେ, ସିନ୍ଦେଙ୍କ ନୂଆ ଦଳ ‘ବାଲା ସାହେବ’ ଏବଂ ‘ଶିବସେନା’ର ନାଁ ବ୍ୟବହାର କରିପାରିବେ ନାହିଁ। ମୁମ୍ବାଇରେ ଶିବସେନାର ଜାତୀୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ବାଲ ଠାକରେଙ୍କ ନାମ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ। ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ବାଲାସାହେବ ଠାକରେଙ୍କ ନାଁର ଅପବ୍ୟବହାର ନହେବା ପାଇଁ ଶିବସେନା ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବ ବୋଲି ସ୍ପଷ୍ଟ କରିଛି।
ଅନ୍ୟପକ୍ଷରେ ଶିବ ସୈନିକମାନେ ରାସ୍ତାକୁ ବାହାରିଥିବାରୁ ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଧାରା ୧୪୪ଲାଗୁ କରାଯାଇଛି। ଶିବ ସୈନିକଙ୍କ ଦଙ୍ଗାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ ହାଇ ଆଲର୍ଟ ଜାରି କରିଛି ଏବଂ ସହରର ସମସ୍ତ ରାଜନୈତିକ କାର୍ଯ୍ୟାଳୟରେ ସୁରକ୍ଷା ସୁନିଶ୍ଚିତ କରିବାକୁ ସମସ୍ତ ପୁଲିସ ଷ୍ଟେସନକୁ ନିର୍ଦ୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ସ-179.jpg)