ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ବିଧାସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ଉଦ୍ଧବଙ୍କ ନେତୃତ୍ବାଧୀନ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସପକ୍ଷରେ ୧୬୯ ଭୋଟ୍‌ ମିଳିଥିବା ବେଳେ ବିଜେପି କକ୍ଷତ୍ୟାଗ କରିଥିଲା। ମତଦାନ ସମୟରେ ୪ ଜଣ ବିଧାୟକ କୌଣସି ପକ୍ଷକୁ ସମର୍ଥନ କରିନଥିଲେ।

Advertisment

କକ୍ଷତ୍ୟାଗ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଗୃହରେ ଅଭିଯୋଗ କରିଥିଲେ ଯେ ଉଦ୍ଧବ ଠାକରେ ସମ୍ବିଧାନର ନିୟମ ଅନୁସାରେ ଶପଥ ଗ୍ରହଣ କରିନାହାନ୍ତି। ରାଜ୍ୟପାଳଙ୍କ ଦ୍ବାରା ନିଯୁକ୍ତ ପ୍ରୋଟେମ୍‌ ସ୍ପିକର୍‌ଙ୍କୁ ଯେଭଳି ଢଙ୍ଗରେ ବଦଳାଇ ଦିଆଗଲା ତାହା ଆଇନ ସମ୍ମତ ନୁହେଁ। ଗୃହ କାର୍ଯ୍ୟ ଆରମ୍ଭରେ ବନ୍ଦେ ମାତରମ ଗାନ କାହିଁକି ହେଲା ନାହିଁ ବୋଲି ମଧ୍ୟ ‌େସ ପ୍ରଶ୍ନ କରିଥିଲେ। ଏହାପରେ ଦଳର ସମସ୍ତ ୧୦୫ ବିଧାୟକ କକ୍ଷତ୍ୟାଗ କରିଥିଲେ।

ଶିବସେନା-କଂଗ୍ରେସ-ଏନ୍‌ସିପି ମେଣ୍ଟ ୧୬୨ ଜଣ ବିଧାୟକଙ୍କ ସମର୍ଥନ ଥିବା ପୂର୍ବରୁ ଦାବି କରିଥିବା ବେଳେ ଏହି ସଂଖ୍ୟା ୧୬୯ରେ ପହଞ୍ଚିଥିବାରୁ ମେଣ୍ଟ ନେତାମାନେ ଏହାକୁ ଏକ ବଡ଼ ବିଜୟ ବୋଲି କହିଛନ୍ତି। ଏଆଇଏମ୍‌ଆଇଏମ୍‌ର ୨ ଜଣ ବିଧାୟକ, ରାଜ ଠାକ୍‌ରେଙ୍କ ଏମ୍‌ଏନ୍‌ଏସ୍‌ର ଜଣେ ବିଧାୟକ ଏବଂ ସିପିଆଇ-ଏମ୍‌ର ଜଣେ ବିଧାୟକ କୌଣସି ପକ୍ଷକୁ ସମର୍ଥନ କରିନଥିଲେ।

ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାପରେ ଉଦ୍ଧବ କହିଥିଲେ ଯେ ଗୃହରେ କାମ କରିବା ସଂକ୍ରାନ୍ତ କୌଣସି ଅଭିଜ୍ଞତା ମୋର ନାହିଁ। ଗୃହରେ ଆଜି ବୈଚାରିକ ମତଭେଦକୁ ଯେଭଳି ରଖାଗଲା ଏବଂ ବିଜେପି କକ୍ଷତ୍ୟାଗ କଲା ତାହା ଖରାପ ପରମ୍ପରା ସୃଷ୍ଟି କରିବ ବୋଲି ସେ କହିଥିଲେ। ଶପଥ ଗ୍ରହଣ ସମୟରେ କୌଣସି ନିୟମ ଉଲ୍ଲଂଘନ ହୋଇନାହିଁ ଏବଂ ସବୁକିଛି ସମ୍ବିଧାନ ମୁତାବକ ହୋଇଥିଲା ବୋଲି ସେ କହିଥିଲେ। ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଆସନ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ।