ମୁମ୍ବାଇ : ମହାରାଷ୍ଟ୍ରରେ ଆଜି ଠାରୁ ପୁଣି ଠାକରେ ରାଜ ଆରମ୍ଭ ହୋଇଛି। ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍ରେ ଆଜି ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବାରେ ସେ ହେଉଛନ୍ତି ଶିବ ସେନାର ତୃତୀୟ ନେତା, କିନ୍ତୁ ଠାକରେ ପରିବାରର ପ୍ରଥମ ସଭ୍ୟ। ଉଦ୍ଧବଙ୍କ ପିତା ବାଲା ସାହେବ ଠାକ୍ରେଙ୍କ ଦ୍ବାରା ଗଠିତ ଶିବ େସନାର ଦୁଇ ଜଣ ନେତା ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ। େସମାନେ େହଲେ ମନୋହର େଯାଶୀ ଏବଂ ନାରାୟଣ ରାଣେ। ବିଜେପି ସହ େମଣ୍ଟ କରି ସେହି ସରକାର ଗଠିତ ହୋଇଥିଲା। କିନ୍ତୁ ଏଥର ବିଜେପି ହାତ ଛାଡ଼ି ଶରଦ ପାୱାରଙ୍କ ଏନ୍ସିପି ଏବଂ କଂଗ୍ରେସ ସହ ମେଣ୍ଟ କରି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ଉଦ୍ଧବଙ୍କ ସହିତ ମୋଟ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ତାଙ୍କ ସହିତ ଶିବସେନା ବିଧାୟକ ଦଳ ନେତା ଏକନାଥ ଖଡ଼ସେ ଏବଂ ସୁଭାଷ ଦେଶାଇ ମଧ୍ୟ ଶପଥ ନେଇଥିଲେ। ଶିବସେନାର ଏହି ଦୁଇ ନେତା ଫଡନାଭିସ୍ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ। ଏହା ପରେ ଏନ୍ସିପିର ଜୟନ୍ତ ପାଟିଲ ଏବଂ ଛଗନ ଭୁଜବଳ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ବାଲା ସାହେବ ଥୋରାଟ୍ ଏନଂ ନୀତିନ ରାଉତ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଥୋରାଟ୍ ଏବେ ମହାରାଷ୍ଟ୍ର କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି।
ଛଗନ ଭୁଜବଳ ଏକଦା ଶିବସେନାର ଟାଣୁଆ ନେତା ଭାବେ ପରିଚିତ ଥିଲେ ଏବଂ ଶିବସେନାରୁ ବିଧାୟକ ନିର୍ବାଚିତ ହେବା ସହ ମୁମ୍ବାଇର ମେୟର ଥିଲେ। ୧୯୯୧ରେ ସେ ଶିବସେନା ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ। ଛଗନ ଭୁଜବଳ ଶିବସେନା, କଂଗ୍ରେସ ଏବଂ ଏନ୍ସିପିରେ କାମ କରିଛନ୍ତି।
ଶପଥ ଗ୍ରହଣ ଉତ୍ସବରେ ଏନ୍ସିପି ସୁପ୍ରିମୋ ଶରଦ ପାୱାର, ଅଜିତ ପାୱାର, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ଡିଏମ୍କେ ସଭାପତି ଏମ୍.କେ. ଷ୍ଟାଲିନ୍, କଂଗ୍ରେସ ନେତା ଅହମ୍ମଦ ପଟେଲ, ମଲ୍ଲିକାର୍ଜୁନ ଖଡ଼ଗେ, କେ.ସି. ବେଣୁଗୋପାଳ, କପିଲ ସିବଲ୍, ସୁଶୀଲ ସିନ୍ଧେ, ଅଶୋକ ଚୌହାନ, ପୃଥ୍ବୀରାଜ ଚୌହାନ, ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ, ପ୍ରଫୁଲ ପଟେଲ, ଶିବସେନା ନେତା ମନୋହର ଯୋଶୀ, ସଂଜୟ ରାଉତ, ଏମ୍ଏନ୍ଏସ୍ ନେତା ରାଜ ଠାକ୍ରେ, ଶିଳ୍ପପତି ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନିତା ଅମ୍ବାନୀ ପ୍ରମୁଖ ଉପସ୍ଥିତ ଥିଲେ। ଏହା ବ୍ୟତୀତ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। କିନ୍ତୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କିମ୍ବା ରାହୁଲ ଗାନ୍ଧୀ ଏହି ଉତ୍ସବକୁ ଆସି ନଥିଲେ। ସେମାନଙ୍କୁ ନିମନ୍ତ୍ରଣ କରିବା ଲାଗି ଉଦ୍ଧବଙ୍କ ପୁତ୍ର ଆଦିତ୍ୟ ଗତକାଲି ଦିଲ୍ଲୀ ଯାଇଥିଲେ। ତେବେ ସୋନିଆ ଶୁଭେଚ୍ଛା ବାର୍ତ ପଠାଇଥିଲେ।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଉଦ୍ଧବ ଠାକ୍ରେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ମହାରାଷ୍ଟ୍ରର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଉଦ୍ଧବ ନିଷ୍ଠାର ସହ ସେ କାର୍ଯ୍ୟ କରିବେ ବୋଲି ମୋର ଭରସା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।