ମୁମ୍ବାଇ: ଲୋକସଭା ନିର୍ବାଚନ ଫଳାଫଳ ପାଇଁ ସମୟ ପାଖେଇ ଆସିଛି। ଜୁନ୍ ୪ରେ ଭୋଟ୍ ଗଣତି ହେବ। ଭୋଟ୍ ଗଣତି ପୂର୍ବରୁ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ଏବଂ ଇଣ୍ଡିଆ ବ୍ଲକର ଆସନ ଫଳାଫଳକୁ ନେଇ କଳ୍ପନାଜଳ୍ପନା ଆହୁରି ତୀବ୍ର ହୋଇଛି। କେଉଁ ଦଳ କେଉଁ ଦଳରେ ରହିବ ଏବଂ ଫଳାଫଳ ପରେ କିଏ ବାହାର ହେବ ସେନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ବର୍ତ୍ତମାନ ଅମରାବତୀ ଆସନରୁ ବିଜେପି ପ୍ରାର୍ଥୀ ନବନୀତ ରାଣାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କ ବିବୃତ୍ତି ଆସିଛି।
ନିର୍ବାଚନ ଫଳାଫଳରେ ବିଜେପିର ରେକର୍ଡ ବିଜୟ ହେବ ଏବଂ ନରେନ୍ଦ୍ର ମୋଦୀ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ରବି ରାଣା କହିଛନ୍ତି। ସେ କହିଛନ୍ତି ଉଦ୍ଧବ ଠାକରେ ଆମ ଉପରେ ମନ୍ତବ୍ୟ ଦେଉଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପାଇଁ ଖୋଲିଥିବା ପଛ ଦ୍ୱାର ଦେଇ ସେ ଏନଡିଏରେ ଯୋଗଦେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଉଦ୍ଧବଙ୍କ ପାଇଁ ଏନଡିଏର ଦ୍ୱାର ସବୁବେଳେ ଖୋଲା ଅଛି କାରଣ ସେ ବାଲାସାହେବ ଠାକରେଙ୍କ ପୁଅ।
ରବି ରାଣା ଦାବି କରିଛନ୍ତି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୧୫ ଦିନ ପରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏନଡିଏରେ ଯୋଗଦେବେ। ସେ ଦାବି କରିଛନ୍ତି ଆମେ ଏକନାଥ ସିନ୍ଦେ ଶିବସେନା ଛାଡିବା ଏବଂ ଅଜିତ ପାୱାର ଏନସିପି ଛାଡିବା ବିଷୟରେ କହି ସାରିଛୁ। ଯାହା ପରେ ଏହା ଠିକ ବୋଲି ପ୍ରମାଣିତ ହୋଇଥିଲା। ରବି ରାଣା ତାଙ୍କ ପତ୍ନୀ ନବନୀତ ରାଣା ୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଅମରାବତୀ ଲୋକସଭା ଆସନରେ ବିଜୟୀ ହେବେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ବାଲାସାହେବଙ୍କୁ ସ୍ମରଣ କରିଥିଲେ ଏବଂ କହିଥିଲେ ସେ ତାଙ୍କ ପ୍ରତି ଥିବା ପ୍ରେମ ଏବଂ ସ୍ନେହକୁ କେବେ ବି ଭୁଲି ପାରିବେ ନାହିଁ। ବାଲାସାହେବଙ୍କୁ କୃତଜ୍ଞତା ଜଣାଇ ସେ କହିଥିଲେ ତାଙ୍କ ବିରୋଧରେ ମଧ୍ୟ ମୁଁ କହିପାରିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ଧବଙ୍କ ବିଷୟରେ କହିଥିଲେ ଯଦି ସେ ଅସୁବିଧାରେ ପଡ଼ନ୍ତି, ତେବେ ଆମେ ତାଙ୍କୁ ପ୍ରଥମେ ସହାୟତା କରିବୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବିବୃତ୍ତି ପରେ ଇଣ୍ଡିଆ ବ୍ଲକ୍ରେ ଉଦ୍ଧବଙ୍କ ଭବିଷ୍ୟତ ବିଷୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ତେବେ, ଆମେ ଏନଡିଏକୁ ଯିବୁ ନାହିଁ ବୋଲି ଉଦ୍ଧବ ସ୍ପଷ୍ଟ ଭାବରେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/17-1.png)