ନୂଆଦିଲ୍ଲୀ: ଏକନାଥ ସିନ୍ଦେଙ୍କ ବିଦ୍ରୋହ ଦ୍ୱାରା କ୍ଷମତାଚ୍ୟୁତ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗତବର୍ଷ ଏନଡିଏରେ ପୁନର୍ବାର ଯୋଗ ଦେବାକୁ ଚାହୁଁଥିଲେ ବୋଲି ବିଦ୍ରୋହୀ ଶିବିରର ଜଣେ ନେତା ଦାବି କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀ ସିନ୍ଦେଙ୍କ ଉପସ୍ଥିତିରେ ଦଳର ସହକର୍ମୀମାନଙ୍କ ସହ ସଂସଦ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳଳନୀରେ ସାଂସଦ ରାହୁଲ ଶେୱାଲେ କହିଛନ୍ତି ଯେ ଗତ ବର୍ଷ ଜୁନ୍ ମାସରେ ଉଦ୍ଧବ ଠାକରେ ଏନଡିଏରେ ପୁନଃ ଯୋଗ ଦେବାକୁ ଚାହୁଁଥିଲେ। କିନ୍ତୁ ପରେ ଏଥିରୁ ପଛଘୁଞ୍ଚା ଦେଇଥିଲେ।
ତେବେ ଶ୍ରୀ ସିନ୍ଦେ ଶିବସେନା, କଂଗ୍ରେସ ଏବଂ ଶରଦ ପାୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ମହାବିକାଶ ଅଘାଡ଼ି ମେଣ୍ଟକୁ ‘ଅପ୍ରାକୃତିକ’ ବୋଲି କହିଥିଲେ ଏବଂ ବିଜେପି ସହିତ ପୁନର୍ମିଳନ ପାଇଁ ଜିଦ୍ ଧରିଥିଲେ। ଶ୍ରୀ ଠାକରେଙ୍କ ପ୍ରଥମେ ଏଥିରେ ରାଜି ଥିବାବେଳେ ପରେ ନିରବ ରହିଥିଲେ।
ମୁମ୍ବାଇର ସାଂସଦ ଶ୍ରୀ ଶେୱାଲେଙ୍କୁ ସଂସଦରେ ପୃଥକ ସେନା ଗୋଷ୍ଠୀରେ ଅଗ୍ରଣୀ ଭୂମିକା ଦିଆଯାଇଛି। ଗତକାଲି ୧୨ ଜଣ ସାଂସଦ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏହି ଗୋଷ୍ଠୀ ବିଷୟରେ ସୂଚନା ଦେଇ ଏହାକୁ ମାନ୍ୟତା ଦେବାକୁ ଲେଖିଥିଲେ।
ଶ୍ରୀ ସିନ୍ଦେଙ୍କ ଦିଲ୍ଲୀ ଗସ୍ତ ସମୟରେ ସଂସଦରେ ଦଳର ବିଭାଜନକୁ ଏଡାଇବା ପାଇଁ ଶ୍ରୀ ଠାକରେ ବ୍ୟାକୁଳ ହୋଇ ପଡ଼ିଛନ୍ତି। ଗତ ସପ୍ତାହରେ ତାଙ୍କ ଦଳର ସାଂସଦମାନଙ୍କ ଦ୍ୱାରା ଅନୁରୋଧ କ୍ରମେ ଶ୍ରୀ ଠାକରେ ରାଷ୍ଟ୍ରପତି ଦୌଡ଼ରେ ନିଜର ନିଷ୍ପତ୍ତି ପରିବର୍ତ୍ତନ କରିଥିଲେ ଏବଂ ବିରୋଧୀ ଦଳର ଯଶୋବନ୍ତ ସିହ୍ନାଙ୍କ ପରିବର୍ତ୍ତେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିଲେ।
ଗତବର୍ଷ ମହା ବିକାଶ ଅଘାଡ଼ି ସରକାରରେ ମତଭେଦ ଓ ଗୋଡ଼ଟଣା ଏତେ ଅଧିକ ହୋଇଥିଲା ଯେ ଗୋଟିଏ ସମୟରେ ବିଜେପି ଏବଂ ଶିବସେନା ଆଉ ଥରେ ଏକାଠି ହେବା ପାଇଁ କଥାବାର୍ତ୍ତା ହୋଇଥିଲା। ହେଲେ, ଜୁନ୍ ମାସରେ ଶରଦ ପାୱାର ଏହି ମତଭେଦକୁ ଖଣ୍ଡନ କରି କହିଥିଲେ, ଯେତେବେଳେ ମେଣ୍ଟରେ ସରକାର ଚାଲିଥାଏ, ସେତେବେଳେ ଏହା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ବାଧ୍ୟ ହୁଏ।
ସୂତ୍ରରୁ ପ୍ରକାଶ ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ସିନ୍ଦେଙ୍କ ଗସ୍ତର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ବିଜେପି ନେତୃତ୍ୱ ସହିତ କ୍ୟାବିନେଟ ଗଠନ ବିଷୟରେ ଆଲୋଚନା କରିବା। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ କ୍ୟାବିନେଟରେ କେବଳ ଦୁଇ ଜଣ ମନ୍ତ୍ରୀ ଅଛନ୍ତି ଜଣେ ମୁଖ୍ୟମନ୍ତ୍ରୀ ଶ୍ରୀ ସିନ୍ଦେ ଓ ଅନ୍ୟ ଜଣେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଫଡ଼ନବୀସ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Udhab.jpg)