ମୁମ୍ବାଇ: ପତ୍ରା ‘ଚଲ୍’ ଜମି ଦୁର୍ନୀତି ମାମଲାରେ ଦୀର୍ଘ ସମୟ ଜେରା କରିବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ତାଙ୍କୁ ପ୍ରଥମେ ଅଗଷ୍ଟ ୪ପର୍ଯ୍ୟନ୍ତ ଇଡିର ହେପାଜତକୁ ପଠାଯାଇଥିବା ବେଳେ ପୁଣି ତାଙ୍କର ହେପାଜତର ଅବଧି ଅଗଷ୍ଟ ୮ପର୍ଯ୍ୟନ୍ତ ବଢ଼ାଇଦିଆଯାଇଛି। ଆଉ ଶିବସେନାର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର 'ସାମନା'ର ସମ୍ପାଦକ ସଞ୍ଜୟ ରାଉତ ଜେଲ ଯିବା ପରେ ଏବେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଏକ ନୂତନ ଭୂମିକାରେ ନଜର ଆସିବେ। ଉଦ୍ଧବ ଠାକରେ ପୁଣି ଥରେ ଶିବସେନା ମୁଖପତ୍ର 'ସାମନା'ର ମୁଖ୍ୟ ସମ୍ପାଦକ ପଦ ଗ୍ରହଣ କରିଛନ୍ତି। ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେଙ୍କୁ ମହାରାଷ୍ଟ୍ର ସରକାରରୁ ହଟିବାକୁ ପଡିଥିଲା | ଆଉ ଏହା ପରେ ଇଡି ଦ୍ୱାରା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରାଯିବା ପରେ ଠାକରେଙ୍କୁ ଆଉ ଏକ ଝଟକା ଲାଗିଥିଲା | ଏଭଳି ପରିସ୍ଥିତିରେ ଠାକରେ ଶିବସେନାର ମୁଖପତ୍ର କୁହାଯାଉଥିବା 'ସାମନା'ର ମୁଖ୍ୟ ସମ୍ପାଦକ ଦାୟିତ୍ୱ ନେଇଛନ୍ତି ।
ତିନି ବର୍ଷ ପୂର୍ବେ ତାଙ୍କ ପତ୍ନୀ ରଶ୍ମି ଠାକରେଙ୍କୁ 'ସାମନା'ର ମୁଖ୍ୟ ସମ୍ପାଦକ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଉଦ୍ଧବ ପୁଣି ଥରେ ନିଜେ ସମ୍ପାଦକ ଚୌକିରେ ବସିଛନ୍ତି । ଆଜି ଉଦ୍ଧବ ଠାକରେଙ୍କ ନାମ 'ସାମନା' ଖବରକାଗଜରେ ସମ୍ପାଦକ ଭାବରେ ପ୍ରକାଶ ପାଇଥିଲା । ସୂଚନା ଥାଉ କି ଶିବସେନାର ମୁଖପତ୍ର 'ସାମନା' ୧୯୮୯ରେ ଆରମ୍ଭ ହୋଇଥିଲା | ଶିବସେନା ମୁଖ୍ୟ ବାଲାସାହେବ ଠାକରେ ଖବରକାଗଜର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ୨୦୧୨ରେ ତାଙ୍କ ମୃତ୍ୟୁ ପରେ ଉଦ୍ଧବ ଠାକରେଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ନିଯୁକ୍ତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Uddhab.jpg)