ମୁମ୍ବାଇ : ମହାରାଷ୍ଟ୍ରରେ ଗତକାଲି ଶପଥ ନେଇଥିବା ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ସରକାର ଶନିବାର ଦିନ ଆସ୍ଥାଭୋଟର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ମହାରାଷ୍ଟ୍ର ବିଧାନ ମଣ୍ଡଳ ସୁତ୍ରରୁ ଜଣାପଡିଛି ଯେ ଶନିବାରଦିନ ଅପରାହ୍ଣ ୨ଟା ବେଳେ ଶିବସେନା-କଂଗ୍ରେସ-ଏନସିପିକୁ ନେଇ ଗଠିତ ମହାବିକାଶ ଅଗାଡି ସରକାର ଆସ୍ଥାଭୋଟର ସମ୍ମୁଖୀନ ହେବେ ।
ତେବେ ଆସ୍ଥାଭୋଟରେ ଉଦ୍ଧବ ସରକାର ସହଜରେ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା ରହିଛି । କାରଣ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ୧୪୫ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେଉଥିବାବେଳେ ମେଣ୍ଟ ପାଖରେ ଆବଶ୍ୟକ ସଂଖ୍ୟା ରହିଛି । ଗତ କାଲି ଐତିହାସିକ ଶିବାଜୀ ପାର୍କରେ ଉଦ୍ଧବ ଠାକରେ ଶପଥ ନେଇଥିଲେ । ତାଙ୍କ ସହ କଂଗ୍ରେସ, ଶିବସେନା ଓ ଏନସିପିର ମୋଟ ୬ ଜଣ ମନ୍ତ୍ରୀ ଯଥା ଶିବସେନାର ଏକନାଥ ସିନ୍ଦେ, ସୁଭାଷ ଦେଶାଇ, ଏନସିପିର ଛଗନ ଭୁଜବଳ, ଜୟନ୍ତ ପାଟିଲ, କଂଗ୍ରେସର ବାଲାସାହେବ ଥୋରାଟ ଓ ନିତିନ ପାଟିଲ ଶପଥ ନେଇଥିଲେ ।