ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କୃତ ହେବା ପରେ ଶିବସେନାକୁ ଧରି ରଖିବାକୁ ସଂଘର୍ଷ କରୁଥିବା ଉଦ୍ଧବ ଠାକରେଙ୍କୁ ଆଜି ଲାଗିଛି ପୁଣି ଏକ ବଡ଼ ଝଟକା। ଆଜିର ଝଟକା ପରିପ୍ରେକ୍ଷୀରେ ରାଜନୈତିକ ଦୃଷ୍ଟିକୋଣରୁ ଆଉ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି ଉଦ୍ଧବ ଠାକରେ। ଉଦ୍ଧବଙ୍କ ପୁତୁରା ନୀହାର ଠାକରେ ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟି ନିଜର ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଶିବସେନାର ପ୍ରତିଷ୍ଠାତା ତଥା ନିଜର ପିତା ବାଲ ଠାକରେଙ୍କ ଉତ୍ତରଧିକରୀ ବୋଲି ଉଦ୍ଧବ ଠାକରେ ଦାବି କରୁଥିବା ବେଳେ ତାଙ୍କର ଖୋଦ୍ ତାଙ୍କର ପୁତୁରା ବିଦ୍ରୋହୀ ଶିବସେନା ନେତା ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସହ ହାତ ମିଳାଇବା ଘଟଣା ମହାରାଷ୍ଟ୍ର ରାଜନୀତିକୁ ପୁଣିଥରେ ସରଗରମ କରିଦେଇଛି।
ଉଲ୍ଲେଖଯୋଗ୍ୟ, ୧୯୯୬ରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନୀହାର ଠାକରେଙ୍କ ପିତା ବିନ୍ଦୁମାଧବ ଠାକରେ ବାଲ ଠାକରେଙ୍କ ତିନି ପୁଅଙ୍କ ମଧ୍ୟରୁ ସବୁଠାରୁ ବଡ ଥିଲେ। ଅନ୍ୟ ଦୁଇଜଣ ହେଉଛନ୍ତି ଜୟଦେବ ଠାକରେ ଏବଂ ଉଦ୍ଧବ ଠାକରେ। ସେ ଦୃଷ୍ଟିରୁ ବିନ୍ଦୁମାଧବଙ୍କ ପୁତ୍ର ନୀହାରଙ୍କ ଏକନାଥ ସିନ୍ଦେଙ୍କ ସହ ସାକ୍ଷାତ ଘଟଣାକୁ ଏକ ବଡ଼ ସାଙ୍କେତିକ ପଦକ୍ଷେପ ଭାବରେ ଦେଖାଯାଉଛି। କାରଣ, ଏହା ପୂର୍ବରୁ ନିକଟରେ ବାଲ ଠାକରେଙ୍କ ଦ୍ୱିତୀୟ ପୁତ୍ର ଜୟଦେବ ଠାକରେଙ୍କ ପୂର୍ବତନ ପତ୍ନୀ ସ୍ମିତା ଠାକରେ ମଧ୍ୟ ନିକଟରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଭେଟିଥିଲେ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୨୦୧୨ରେ ବାଲ ଠାକେରେଙ୍କ ଦେହାନ୍ତ ପରେ ଶିବସେନାର ଉତ୍ତରାଧିକାରକୁ ନେଇ ଏକ ବଡ଼ ପାରିବାରିକ ବିବାଦ ପରେ ଉଦ୍ଧବ ଠାକରେ ଶିବସେନାର ମୁଖିଆ ହୋଇଥିଲେ।
ନୀହାର ଠାକରେ ଗତ ଡିସେମ୍ବରରେ ବିଜେପି ନେତା ହର୍ଷବର୍ଦ୍ଧନ ପାଟିଲଙ୍କ ଝିଅ ଅଙ୍କିତା ପାଟିଲଙ୍କୁ ବିବାହ କରିଥିଲେ। ହର୍ଷବର୍ଦ୍ଧନ ପାଟିଲ ଜଣେ ପୂର୍ବତନ କଂଗ୍ରେସ ନେତା ରହିବା ସହ ଅନେକ ବର୍ଷ ଧରି ମନ୍ତ୍ରୀ ପଦରେ ରହିଥିଲେ।
ବର୍ତ୍ତମାନ ଶିବସେନାର ମୁଖିଆ ପଦ ଧରି ରଖିବାକୁ ଉଦ୍ଧବ ଓ ମୁଖିଆ ପଦରୁ ଉଦ୍ଧବଙ୍କୁ ହଟାଇ ନୂଆ ମୁଖିଆ ହେବାକୁ ସିନ୍ଦେଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ଆଜିର ଘଟଣାକ୍ରମକୁ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Udhab-1.jpg)