ମୁମ୍ବାଇ: ଛଗନ ଭୁଜବଳ ୨୦୦୦ ମସିହାରେ ଯେତେବେଳେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଶିବସେନାର ପ୍ରତିଷ୍ଠାତା ବାଲ୍ ଠାକରେଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନ୍ସିପିର ସେହି ନେତାଙ୍କ ସହ ଏକାଠି କେମିତି କାମ କରିପାରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶିବସେନାର ବିଦ୍ରୋହୀ ଗୋଷ୍ଠୀ। ଭୁଜବଳ ୧୯୬୦ ଦଶକରେ ଶିବସେନାରେ ଯୋଗ ଦେଇ ମହାନଗରୀର ମେୟର ହେବା ସହ ଦଳର ଏକ ପ୍ରମୁଖ ନେତାରେ ପରିଣତ ହୋଇଥିଲେ। ୧୯୮୫ରେ ପ୍ରଥମଥର ପାଇଁ ସେ ମାଝଗାଓଁ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ବାଲ୍ ଠାକରେ ମନୋହର ଜୋଷୀଙ୍କୁ ବିରୋଧୀ ଦଳ ନେତା କରିବା ପରେ ଅସନ୍ତୁଷ୍ଟ ହୋଇ ସେ ଶିବସେନା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ସରକାରରେ ସେ ମନ୍ତ୍ରୀ ହୋଇଥିଲେ ମଧ୍ୟ ୧୯୯୫ରେ ପରବର୍ତ୍ତୀ ନିର୍ବାଚନରେ ଦଳ ପରାଜିତ ହୋଇଥିଲା। ସେ କଂଗ୍ରେସ ନେତା ଶରଦ ପାୱାରଙ୍କୁ ଧରି ବିରୋଧୀ ଦଳ ନେତା ହୋଇଥିଲେ। ଯେତେବେଳେ ପାୱାର କଂଗ୍ରେସ ଛାଡ଼ି ଏନ୍ସିପି ଗଠନ କଲେ ସେତେବେଳେ ଭୁଜବଳଙ୍କୁ ଦଳର ପ୍ରଥମ ରାଜ୍ୟ ସଭାପତି କଲେ।
୧୯୯୯ ନିର୍ବାଚନ ପରେ କଂଗ୍ରେସ-ଏନ୍ସିପି ମେଣ୍ଟ ସରକାର ଗଢ଼ିଲେ ଏବଂ ଭୁଜବଳ ହେଲେ ଉପମୁଖ୍ୟମନ୍ତ୍ରୀ। ୧୯୯୨-୯୩ ଦଙ୍ଗାକୁ ନେଇ ସେନା ମୁଖପତ୍ର ସାମନା ବିରୋଧରେ ଆଗତ ଏକ ମାମଲାରେ ସେ ବାଲ୍ ଠାକରେଙ୍କୁ ଗିରଫ କରାଇଥିଲେ। ଏହି ଘଟଣାକୁ ନେଇ ସିନ୍ଦେ ଗୋଷ୍ଠୀ ଏବେ ଉଦ୍ଧବ ଠାକରେଙ୍କୁ ଆକ୍ରମଣ କରିଛନ୍ତି। ସିନ୍ଦେ ଗୋଷ୍ଠୀର ବିଧାୟକ ସୁଭାଷ ସବନେ ଏକ ଭିଡିଓ ଜାରି କରି ଉଦ୍ଧବଙ୍କୁ ପଚାରିଛନ୍ତି- ସେହି ଛଗନ ଭୁଜବଳଙ୍କ ସହ ଏକାଠି କ୍ୟାବିନେଟ୍ରେ ବସିଲାବେଳେ ତୁମେ କ’ଣ ଅନ୍ତରରେ ପୀଡ଼ା ଅନୁଭବ କରୁନାହିଁ, ଯିଏ ତୁମ ବାପା ତଥା ଶିବସେନା ମୁଖ୍ୟ ବାଲାସାହେବ ଠାକରେଙ୍କୁ ଗିରଫ କରିଥିଲେ?