ଉଧମପୁର ଆକ୍ରମଣର ଷଡ଼ଯନ୍ତ୍ରକାରୀ ହାଞ୍ଜଲା ଆଦନାନକୁ ପାକିସ୍ତାନରେ ହତ୍ୟା

କରାଚି: ୨୦୧୫ରେ ଜମ୍ମୁ-କାଶ୍ମୀରର ଉଧମପୁରରେ ବିଏସ୍‌ଏଫ୍‌ (ସୀମା ସୁରକ୍ଷା ବଳ)ର ଏକ ଗାଡ଼ି ଉପରେ ହୋଇଥିବା ଆକ୍ରମଣର ସୂତ୍ରଧର ଲସ୍କର ଆତଙ୍କବାଦୀ ହାଞ୍ଜଲା ଆଦନାନକୁ ପାକିସ୍ତାନର କରାଚିରେ ଅଜ୍ଞାତ ବନ୍ଧୁକଧାରୀମାନେ ହତ୍ୟା କରିଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଲସ୍କର ମୁଖ୍ୟ ହାଫିଜ ସୟିଦର ଘନିଷ୍ଠ ବୋଲି କୁହାଯାଉଥିବା ହାଞ୍ଜଲା ଆଦନାନକୁ ଡିସେମ୍ବର ୨/୩ ମଧ୍ୟରାତ୍ରିରେ ତା’ ଘର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ତା’ ଦେହରୁ ୪ଟି ଗୁଳି ମିଳିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଲସ୍କର-ଏ-ତୋଏବା ଆତଙ୍କବାଦୀକୁ ପାକିସ୍ତାନୀ ସେନା ଗୁପ୍ତରେ କରାଚିର ଏକ ଡାକ୍ତରଖାନାକୁ ନେଇଥିଲା। ଡିସେମ୍ବର ୫ ତାରିଖରେ ତା’ର ମୃତ୍ୟୁ ହୋଇଥିଲା।

ନିକଟରେ ହାଞ୍ଜଲା ଆଦନାନ ନିଜର ଅପରେସନ୍ ବେସ୍‌କୁ ରାୱଲପିଣ୍ଡିରୁ କରାଚି ସ୍ଥାନାନ୍ତର କରିଥିଲା। ୨୦୧୫ରେ ହାଞ୍ଜଲା ଆଦନାନ ଉଧମପୁରରେ ବିଏସ୍‌ଏଫ୍‌ର ଏକ ଗାଡ଼ି ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା, ଯେଉଁଥିରେ ୨ ଜଣ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଥିଲେ ଏବଂ ଅନ୍ୟ ୧୩ ଜଣ ଆହତ ହୋଇଥିଲେ। ଏନ୍‌ଆଇଏ ବିଏସ୍‌ଏଫ୍‌ ଯବାନଙ୍କ ଆକ୍ରମଣର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା। ୨୦୧୬ରେ ଜମ୍ମୁ-କାଶ୍ମୀରର ପାମ୍ପୋର ଅଞ୍ଚଳରେ ସିଆର୍‌ପିଏଫ୍‌ର ଏକ ଗାଡ଼ି ଉପରେ ଲସ୍କର ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୮ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର