କଂଗ୍ରେସ ଓ ଏନସିପିକୁ ଖୁସି କରିବା ପାଇଁ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିବେ ଠାକରେ !

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ​​ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରି କଂଗ୍ରେସ ଏବଂ ଏନସିପିକୁ ନିରାଶ କରିଥିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ହେଲେ ଏବେ ଦୁଇ ଦଳକୁ ଉଦ୍ଧବ ଖୁସି କରିବେ ବୋଲି ଚର୍ଚ୍ଚା ହେଉଛି। ଉଦ୍ଧବ ଠାକରେ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ ​​ସେ ଶରଦ ପାୱାରା ବାଛିଥିବା ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି।ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବାସଭବନରେ ଏକ ସଭାରେ ଯୋଗଦେବା ପରେ ସଞ୍ଜୟ ରାଉତ କହିଛନ୍ତି ଯେ, ସେ ଆଲଭାଙ୍କୁ ସମର୍ଥନ କରିବେ।

ତେବେ ବିଜେପି ସହାୟତାରେ ଏକନାଥ ସିନ୍ଦେ ମହାରାଷ୍ଟ୍ରରେ ସରକାର ଗଠନ କରି ଉଦ୍ଧବ ଠାକରେ କ୍ଷମତାରୁ ହଟିଛନ୍ତି। ଏହା ସତ୍ତ୍ୱେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିବା ପରେ କଂଗ୍ରେସ ଏବଂ ଏନସିପି ଉଦ୍ଧବଙ୍କ ଦଳକୁ ନେଇ ଖୁସି ନଥିଲେ।

ସଞ୍ଜୟ ରାଉତ କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା ଏବଂ ଦେଶର ଆଦିବାସୀମାନଙ୍କ ପ୍ରତି ଲୋକଙ୍କ ସହାନୁଭୂତି ରହିଛି। ଆମର ଅନେକ ବିଧାୟକ ଏବଂ ସାଂସଦ ମଧ୍ୟ ଆଦିବାସୀ ସମ୍ପ୍ରଦାୟର। ସେଥିପାଇଁ ଆମେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛୁ। ହେଲେ ଉପରାଷ୍ଟ୍ରପତି ନିର୍ବାଚନରେ ଆମେ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିବୁ।

ଉଲ୍ଲେଖଯୋଗ୍ୟ, ବିଜେପି ସହ ଦଶନ୍ଧି ଧରି ଥିବା ମେଣ୍ଟ ଭାଙ୍ଗିବା ପରେ ଶିବସେନା ଏନସିପି ଏବଂ କଂଗ୍ରେସ ସହିତ ମହା ବିକାଶ ଅଗାଡି ସରକାର ଗଠନ କରିଥିଲା। ଗତ ମାସରେ ବିଧାୟକଙ୍କ ବିଦ୍ରୋହ ପରେ ଉଦ୍ଧବଙ୍କ ସରକାରର ପତନ ହେବା ସହ ଉଦ୍ଧବ ଠାକରେ କ୍ଷମତାରୁ ହଟିଥିଲେ। ଏହା ସହ ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନ କ୍ଷମତାରୁ ହଟିବା ପରେ ଉଦ୍ଧବ ଠାକରେ କୌଣସି ପ୍ରକାରେ ନିଜ ପାର୍ଟିକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧିତ ଖବର