ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଏମ୍ଭିଏ (ମହା ବିକାଶ ଅଘାଡ଼ି) ସରକାର ଏବେ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। ଶିବସେନାର ବରିଷ୍ଠ ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ୨୧ ଜଣ ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁଁ ଉଦ୍ଧବ ସରକାରର େଯକୌଣସି ମୁହୂର୍ତ୍ତରେ ପତନ ଘଟିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଶିବ ସେନା, ଏନ୍ସିପି ଏବଂ କଂଗ୍ରେସକୁ ନେଇ ଗଠିତ ଉଦ୍ଧବ ସରକାରକୁ ଏହି ସଙ୍କଟରୁ ରକ୍ଷା କରିବା ଲାଗି ଉଦ୍ୟମ ଚାଲିଥିବା ବେଳେ ବିଦ୍ରୋହୀଙ୍କ ସମର୍ଥନରେ ବିକଳ୍ପ ସରକାର ଗଠନ ଲାଗି ବିଜେପି ମଧ୍ୟ ପ୍ରୟାସ ଆରମ୍ଭ କରିଦେଇଛି।
୨୧ ଜଣ ବିଦ୍ରୋହୀ ବିଧାୟକ ଏବେ ବିଜେପି ଶାସିତ ଗୁଜୁରାଟର ସୁରଟ େହାଟେଲରେ ଆଶ୍ରୟ ନେଇଛନ୍ତି। ତାଙ୍କ ସହିତ ୫ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି। ଅସନ୍ତୁଷ୍ଟ ବିଧାୟକଙ୍କ ସହ ଡେରା ପକାଇଥିବା ଏକନାଥଙ୍କୁ ମନାଇବା ପାଇଁ ଶିବସେନା ଅହରହ ପ୍ରୟାସ ଚଳାଇଛି। ମୁଖ୍ୟମନ୍ତ୍ରୀ ଠାକରେ ଆଜି ସନ୍ଧ୍ୟାରେ ସିନ୍ଦେଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଏହା ଫଳପ୍ରଦ ହୋଇନାହିଁ। ସେନାର ଦୁଇ ଜଣ ବରିଷ୍ଠ ନେତା ମଧ୍ୟ ସୁରଟ ଯାଇ ସିନ୍ଦେଙ୍କୁ ଭେଟିଛନ୍ତି। ତେବେ ବିଜେପି ସହ ମେଣ୍ଟ କରି ସରକାର ଗଠନ ପାଇଁ ସିନ୍ଦେଙ୍କ ଦାବି ଠାକରେଙ୍କୁ ଅଡ଼ୁଆରେ ପକାଇଛି। ସେମାନେ ଏନସିପି-କଂଗ୍ରେସ ସହ ଦଳର ମେଣ୍ଟକୁ ଦୃଢ଼ ବିରୋଧ କରିଛନ୍ତି। ବିଜେପି ହିଁ ଶିବସେନା ସହିତ ଠିକ୍ ତାଳମେଳରେ ରହିପାରିବ ଏବଂ ବିଜେପି ସହିତ ପୁଣି ମେଣ୍ଟ ହେଲେ ହିଁ ଦଳରେ ବିଭାଜନକୁ ରୋକିହେବ ବୋଲି ସନ୍ଦେ ଉଦ୍ଧବ ଠାକରେଙ୍କୁ ଜଣାଇଛନ୍ତି। କଥାବାର୍ତ୍ତା ବିଫଳ ହେବାପରେ ଠାକେର ନିଜର ଦଳର ନେତାଙ୍କ ସମେତ ଏନସିପି ଏବଂ କଂଗ୍ରେସ ନେତାମାନଙ୍କ ସହିତ ବୈଠକ କରି ଆଲୋଚନା ଚଳାଇଛନ୍ତି। ଅନ୍ୟପକ୍ଷରେ ଶିବସେନା ନେତା ସଂଜୟ ରାଉତ କହିଛନ୍ତି ଯେ ଏମ୍ଭିଏ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଷଡ଼ଯନ୍ତ୍ର କରିଛି ଏବଂ ଆମେ ଏହାକୁ କଦାପି ସଫଳ ହେବାକୁ ଦେବୁନାହିଁ। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି ଉଦ୍ଧବ ସରକାରକୁ ଭାଙ୍ଗିବା ପାଇଁ ହେଉଥିବା ଚକ୍ରାନ୍ତକୁ ଶିବସେନା ବିଫଳ କରିଦେବ। ଶିବସେନା ନିଷ୍ଠାପର ଲୋକଙ୍କ ଦଳ ଏବଂ ସରକାର କଦାପି ଭାଙ୍ଗିବ ନାହିଁ ବୋଲି ସେ କହିଛନ୍ତି।
ସମଗ୍ର ଘଟଣା ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କ ହାତ ରହିଥିବା କୁହାଯାଉଛି। ଦିଲ୍ଲୀରେ କେନ୍ଦ୍ରୀୟ ନେତାମାନଙ୍କ ସହିତ କଥାବାର୍ତ୍ତା କରି ସେ ଏଭଳି ନାଟକ ଚଳାଇଛନ୍ତି ବୋଲି ଶିବ ସେନା ନେତାମାନେ ଅଭିଯୋଗ କରିଛନ୍ତି। ଗତକାଲି ବିଧାନ ପରିଷଦ ନିର୍ବାଚନରେ ବିଜେପିର ସମସ୍ତ ୫ ପ୍ରାର୍ଥୀ ବିଜୟୀ ହେବାପରେ ଶିବସେନାର ଅନେକ ବିଧାୟକ ଏନ୍ସିପି ଓ କଂଗ୍ରେସ ସହ ମେଣ୍ଟ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ବର୍ତ୍ତମାନର ବିଦ୍ରୋହ ସତ୍ତ୍ବେ ବିଜେପି କ୍ଷମତାକୁ ଫେରିବା ଏତେ ସହଜ ନୁହେଁ ବୋଲି କୁହାଯାଉଛି। ସିନ୍ଦେଙ୍କୁ ମିଶାଇ ମୋଟ ୨୨ ବିଧାୟକ ଏବେ ବିଦ୍ରୋହୀ ସାଜିଛନ୍ତି। ରାଜ୍ୟର ମୋଟ ୨୮୮ ବିଧାନସଭା ଆସନରୁ ଶିବସେନାର ୫୫ ବିଧାୟକ ଅଛନ୍ତି। ଏନସିପିର ୫୨ ବିଧାୟକ ଥିବା ବେଳେ କଂଗ୍ରେସର ୪୪ ଜଣ ବିଧାୟକ ଅଛନ୍ତି। ଅନ୍ୟ ଛୋଟ ଛୋଟ ଦଳ ଓ ସ୍ବାଧୀନଙ୍କୁ ମିଶାଇ ୨୯ ଜଣ ବିଧାୟକ ଅଛନ୍ତି। ଏହି ସଙ୍କଟରେ ସେମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Sanjay-Raut-Uddhav-Thackeray.jpg)