ନୂଆଦିଲ୍ଲୀ : ସ୍ନାତକୋତ୍ତର ଓ ସ୍ନାତକ ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା କରିବା ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ନିର୍ଦ୍ଦେଶାବଳୀକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। କୋଭିଡ୍-୧୯ ସଙ୍କଟ ଦୃଷ୍ଟିରୁ ସ୍ନାତକୋତ୍ତର ଓ ସ୍ନାତକ ପାଠ୍ୟକ୍ରମର ଅନ୍ତିମବର୍ଷର ପରୀକ୍ଷା ବାତିଲ କରିବା ଲାଗି ଆବେଦନକାରୀମାନେ କରିଥିବା ଦାବିକୁ ସୁପ୍ରିମକୋର୍ଟ ବିଚାରପିତ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।
ସୁପ୍ରିମକୋର୍ଟ ରାୟରେ କହିଛନ୍ତି ଯେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ବାରା ଧାର୍ଯ୍ୟ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ସମସ୍ତ ପରୀକ୍ଷା ଅନୁଷ୍ଠିତ ହେବ। ୟୁଜିସିଙ୍କ ବିନା ଅନୁମତିରେ ରାଜ୍ୟମାନେ ପରୀକ୍ଷା ବାତିଲ କରିପାରିବେ ନାହିଁ। ପିଲାମାନଙ୍କୁ ପାସ୍ କରିବା ପାଇଁ ପରୀକ୍ଷା ଆବଶ୍ୟକ। ୟୁଜିସିଙ୍କ ବିନା ଅନୁମତିରେ ରାଜ୍ୟମାନେ ଛାତ୍ରଛାତ୍ରୀମାନଙ୍କୁ ବିନା ପରୀକ୍ଷାରେ ପାସ୍ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ପରୀକ୍ଷା ଆୟୋଜନକୁ ନେଇ ଯେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଚାଲେଞ୍ଜ ରହିଛି, ସେସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ(ୟୁଟି) ନିର୍ଦ୍ଧାରିତ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦେବା ପାଇଁ ଆବେଦନ ମଧ୍ୟ କରିପାରିବେ। ୟୁଜିସି ଦ୍ବାରା ଆବେଦନକୁ ବିଚାର କରାଯାଇ ସଂପୃକ୍ତ ରାଜ୍ୟମାନଙ୍କୁ ପରୀକ୍ଷା ପାଇଁ ପୁନଃ ନିର୍ଦ୍ଧାରଣ ତାରିଖ ସମ୍ପର୍କରେ ଅବଗତ କରାଯିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ୟୁଜିସିର ସଂଶୋଧିତ ଗାଇଡ୍ଲାଇନ୍ସ ସମ୍ବିଧାନର ଧାରା ୧୪କୁ ଉଲ୍ଲଘଂନ କରୁଥିବାର କୁହାଯାଇପାରିବ ନାହିଁ। ପରୀକ୍ଷାକୁ ସାରାଦେଶରେ ଶେଷ କରିବା ତଥା ଏକାଡେମି କ୍ୟାଲେଣ୍ଡରରେ ସମାନତା ବଜାୟ ରଖିବା ଉଦ୍ଦେଶ୍ୟ ରହିଛି।
ଉଲ୍ଲେଖଯୋଗ୍ୟ ଯେ ୟୁଜିସି ଦ୍ବାରା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଅନ୍ତିମ ବର୍ଷର ପରୀକ୍ଷା କରାଇବାକୁ ନେଇ ଜୁଲାଇ ୬ ତାରିଖ ଦିନ ସଂଶୋଧିତ ଗାଇଡଲାଇନ୍ସ ଜାରି କରାଯାଇଥିଲା। ଏଥିସହିତ ୟୁଜିସି ଦ୍ବାରା କୁହାଯାଇଥିଲା ଯେ ବାର୍ଷିକ ପରୀକ୍ଷା ନକରାଇ ସ୍ନାତକୋତ୍ତର ଓ ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରାଯାଇ ପାରିବନାହିଁ। ଓଡ଼ିଶା, ଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ ହରିଆଣା ଏବଂ ମଧ୍ୟପ୍ରଦେଶ ସମେତ କେତେକ ରାଜ୍ୟ ବାର୍ଷିକ ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ କରିଦେଇଥିଲେ। ଏହାପରେ ୟୁଜିସିର ସଂଶୋଧିତ ଗାଇଡଲାଇନ୍ସକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ୟୁଜିସି ପକ୍ଷରୁ ରାଜ୍ୟ କର୍ତ୍ତୃପକ୍ଷ ୟୁଜିସିର ଗାଇଡଲାଇନ୍ସକୁ ଅଣଦେଖା କରିପାରିବେନାହିଁ ବୋଲି କୁହାଯାଇଥିଲା। ରାଜ୍ୟସରକାର ନୁହନ୍ତି, କେବଳ ବୈଧାନିକ ସଂସ୍ଥାନର ହିଁ ପରୀକ୍ଷା ବାତିଲ କରିବାର କ୍ଷମତା ରହିଛି ବୋଲି ୟୁଜିସି ପକ୍ଷରୁ କୋର୍ଟରେ ଯୁକ୍ତି ଦିଆଯାଇଥିଲା। ଚଳିତମାସ ୧୮ରେ ମାମଲାର ଶୁଣାଣି ଶେଷ କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ।