ଆଧାର ସ୍ମାର୍ଟ କାର୍ଡ ବୋଲି କିଛି ନାହିଁ; ଲୋକଙ୍କୁ ସାବଧାନ କଲା ୟୁଆଇଡିଏଆଇ

ନୂଆଦିଲ୍ଲୀ: ଆଧାର ଜନିତ ଯେ କୌଣସି ଆବଶ୍ୟକତା ପୂରଣ ପାଇଁ ଆଧାର ନମ୍ବର ସମ୍ବଳିତ ଚିଠି କିମ୍ବା ୟୁଆଇଡିଏଆଇ ପୋର୍ଟାଲରୁ ଡାଉନ୍‌ଲୋଡ୍‌ ହୋଇଥିବା ଆଧାର ହିଁ ଯଥେଷ୍ଟ। ସ୍ମାର୍ଟ ଆଧାର କାର୍ଡ ବୋଲି କିଛି ନାହିଁ। ସ୍ମାର୍ଟ ଆଧାର କାର୍ଡର ଆବଶ୍ୟକତା ତ ଦୂରର କଥା ଏପରି କୌଣସି ପରିକଳ୍ପନା ବା ଯୋଜନା ନାହିଁ ବୋଲି ଆଜି ଖୋଦ୍‌ ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

କିଛି ଲୋକ ସାଧାରଣ ଜନତାଙ୍କୁ ସ୍ମାର୍ଟ ଆଧାର କାର୍ଡ ନାମରେ ଏକ ପ୍ଲାଷ୍ଟିକ୍‌ କାର୍ଡରେ ନାଁ ଓ ଆଧାର ନମ୍ବର ଛପାଇ ତାକୁ ସ୍ମାର୍ଟ ଆଧାର କାର୍ଡ ବୋଲି କହିବା ସହ ଲୋକଙ୍କ ଠାରୁ ୫୦ ଟଙ୍କା ଠାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛନ୍ତି। ତେବେ ଏଘଟଣା ସଂପର୍କରେ ଏକାଧିକ ଅଭିଯୋଗ ପାଇବା ପରେ ଆଜି ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ ଏହି ଘୋଷଣା କରାଯାଇଛି।


ୟୁଆଇଡିଏଆଇ ପକ୍ଷରୁ ଜାରି ଏକ ଘୋଷଣାରେ କୁହାଯାଇଛି ଯେ ଲୋକମାନଙ୍କର ଆଧାର ଜନିତ ଯେ କୌଣସି ଆବଶ୍ୟକତା ପୂରଣ ପାଇଁ ସେମାନଙ୍କୁ ଯେଉଁ ଆଧାର ନମ୍ବର ସମ୍ବଳିତ କାର୍ଡ ମିଳିଛି କିମ୍ବା ୟୁଆଇଡିଏଆଇ ପୋର୍ଟାଲରୁ ସେମାନେ ଯେଉଁ ଆଧାର ଡାଉନ୍‌ଲୋଡ୍‌ କରିଛନ୍ତି ତାହା ହିଁ ଯଥେଷ୍ଟ। କାରଣ, ସ୍ମାର୍ଟ ଆଧାର କାର୍ଡ ବୋଲି କିଛି ନାହିଁ।

ସମ୍ବନ୍ଧିତ ଖବର