ନୂଆଦିଲ୍ଲୀ : ଆଧାର ଆଇନରେ କେନ୍ଦ୍ର ସରକାର ନିକଟରେ ସଂଶୋଧନ ଆଣିଛନ୍ତି। ସଂସଦରେ ଆଧାର ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ,୨୦୧୯ ଗୃହୀତ ହେବା ପରେ ଚଳିତବର୍ଷ ଜୁଲାଇ ୨୪ ତାରିଖରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଶୋଧନ ପରେ ଆଧାର ଆଇନର ସେକ୍ସନ ୭ ବ୍ୟବହାର ସମ୍ପର୍କରେ ନିୟମାବଳୀ ଜାରି ହୋଇଛି। ମୂଳ ଆଇନର ସେକ୍ସନ ୭ରେ ଭାରତ ସରକାରଙ୍କ ସଂଗଠିତ ପାଣ୍ଠି ପରେ ରାଜ୍ୟ ସରକାରଙ୍କ ସଂଗଠିତ ପାଣ୍ଠିକୁ ସାମିଲ କରାଯାଇଛି। ଫଳରେ ରାଜ୍ୟ ସରକାରଙ୍କ ସଂଗଠିତ ପାଣ୍ଠିରୁ ଖର୍ଚ୍ଚ ହେଉଥିବା ଅର୍ଥରୁ ହିତାଧିକାରୀମାନେ ଯେଉଁ ସାମଗ୍ରୀ ଓ ସେବା ପାଉଛନ୍ତି ସେଥିପାଇଁ ଆଧାର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗ ପକ୍ଷରୁ ବିଭିନ୍ନ ସ୍କିମ୍ ବା ଯୋଜନା ପାଇଁ ଯେଭଳି ସେକ୍ସନ ୭ର ବ୍ୟବହାର କରାଯାଉଛି ରାଜ୍ୟ ସରକାରମାନେ ସେଭଳି କରିବାକୁ କୁହାଯାଇଛି। ଏଥିପାଇଁ କେଉଁ ଯୋଜନା ସବୁ ଆଧାର ଆଇନର ସେକ୍ସନ ୭ ପରିସରଭୁକ୍ତ ସେଗୁଡ଼ିକୁ ରାଜ୍ୟ ସରକାର ଚିହ୍ନଟ କରିବେ।

Advertisment

ସୁପ୍ରିମ କୋର୍ଟଙ୍କ ୨୦୧୮ ସେପ୍ଟେମ୍ବର ୨୬ ତାରିଖ ରାୟ ଆଧାରରେ ଏହା କରାଯିବ। ଯୋଜନାକୁ କାର୍ଯ୍ୟକାରୀ କରୁଥିବା ବିଭାଗ ଗୁଡ଼ିକ ପକ୍ଷରୁ କେଉଁସବୁ ଯୋଜନା ଆଧାର ପରିସରଭୁକ୍ତ ହେବ ତାହାର ଏକ ଚିଠା ପ୍ରସ୍ତୁତ କରାଯିବ। ଏହାପରେ ଆଇନ ବିଭାଗର ପରାମର୍ଶ ନିଆଯିବ। ଆଇନ ବିଭାଗର ପରାମର୍ଶ ପରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯିବ। ଶିଶୁ ହିତାଧିକାରୀ ଏବଂ ଶିଶୁ ବ୍ୟତୀତ ଅନ୍ୟ ବୟସର ହିତାଧିକାରୀଙ୍କ ପାଇଁ ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ନେଇ ୟୁଆଇଡିଏଆଇ (ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ୟୁଆଇଡିଏଆଇର ୱେବସାଇଟରେ ଏହି ସର୍କୁଲାର ରହିଛି। ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ୟୁଆଇଡିଏଆଇ ଏହି ମର୍ମରେ ଚିଠି ପଠାଇଛି।