ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୟନୀ ପେତିସିୟା ଗାଁରେ ଘଟିଥିବା ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଦୁଇଜଣ ଶିଶୁ ଖେଳୁଖେଳୁ କୀଟନାଶକ ଔଷଧ ଖାଇଦେବାରୁ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଶିଶୁର ନାମ ମୁସ୍କାନ ବୟସ ୩ବର୍ଷ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ପେତିସିୟା ଗାଁରେ ସର୍ଦ୍ଦାର ଚୌହାନ ତାଙ୍କ ନିଜ ସ୍ତ୍ରୀ ପୂଜା ଓ ଦୁଇ ଝିଅ ପୁନମ ଓ ମୁସ୍କାନଙ୍କୁ ନେଇ ବସବାସ କରନ୍ତି। ଘଟଣାଦିନ ପୂଜା ଦୁଇ ଝିଅଙ୍କୁ ଘରେ ଛାଡ଼ି ପାଖ ବିଲରେ କ’ଣ କାମ ପଡ଼ିବାରୁ ସେ ଚାଲି ଯାଇଥିଲେ। ଘରେ ପୁନମ ଓ ମୁସ୍କାନ ଖେଳୁଥିବା ବେଳେ ତାଙ୍କ ହାତରେ କୀଟନାଶକ ଔଷଧ ବୋତଲ ପଡ଼ି ଯାଇଥିଲା।
ଦୁଇଝିଅ ଏହାକୁ କୌଣସି ପାନୀୟ ସାମଗ୍ରୀ ଭାବି ପିଇ ଦେଇଥିଲେ। ଏହାକୁ ପିଇବା ପରେ ପୁନମ ଓ ମୁସ୍କାନ ଅଚେତ ହୋଇଯାଇଥିଲେ। ଜମିରୁ ଫେରିବା ପରେ ମା’ ପୂଜା ଏଦୃଶ୍ୟ ଦେଖି ବାକଶୂନ୍ୟ ହୋଇପଡ଼ିଥିଲେ। ଅଚେତ ହୋଇ ପଡ଼ିଥିବା ଦୁଇଝିଅଙ୍କ ମୃତ୍ୟୁ ହୋଇଯାଇଥିବା ଭାବି ସେ ପୁନମ ଓ ମୁସ୍କାନଙ୍କ ପାଖରେ ପଡ଼ିଥିବା କୀଟନାଶକ ଔଷଧ ପିଇ ଦେଇଥିଲେ। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।
ପଡ଼ିଶାଲୋକ କୌଣସି କାମରେ ପୂଜାଙ୍କ ଘରକୁ ଆସିଥିବା ବେଳେ ସେମାନେ ଏଘଟଣା ସମ୍ପର୍କରେ ଜାଣି ମା’ ଓ ଦୁଇଝିଅଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ଝିଅ ମୁସ୍କାନଙ୍କୁ ମୃତଘୋଷଣା କରି ପୁନମ ଓ ପୂଜାଙ୍କ ଚିକିତ୍ସା ଆରମ୍ଭ କରିଥିଲେ।