ନୂଆଦିଲ୍ଳୀ: ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଏବଂ ରାଜ୍ୟସଭା ପାଇଁ ମନୋନୀତ ହୋଇଥିବା ସଦସ୍ୟ ଉଜ୍ଜ୍ୱଳ ନିକମ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି।
୧୯୯୩ ବୋମା ବିସ୍ଫୋରଣ ସମେତ ଅନେକ ହାଇ-ପ୍ରୋଫାଇଲ୍ ଆତଙ୍କବାଦୀ ମାମଲାରେ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଥିବା ଉଜ୍ଜ୍ୱଳ ନିକମ ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ।
ଏହି ସମୟରେ ସେ କହିଥିଲେ, "ଆବୁ ସାଲେମ ବୋମା ବିସ୍ଫୋରଣର ଗୋଟିଏ ଦିନ ପୂର୍ବରୁ ସଞ୍ଜୟ ଦତ୍ତଙ୍କ ଘରକୁ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଏକ ଭ୍ୟାନ ଆଣିଥିଲେ। ଅଭିନେତା ଏଥିରୁ କେବଳ ଏକେ-୪୭ ବନ୍ଧୁକ ନିଜ ପାଖରେ ରଖି ବାକି ସବୁକିଛି ଫେରାଇ ଦେଇଥିଲେ। ଯଦି ସଞ୍ଜୟ ଦତ୍ତ ସେହି ଅସ୍ତ୍ରଶସ୍ତ୍ର ଭର୍ତ୍ତି ଭ୍ୟାନ ବିଷୟରେ ପୁଲିସକୁ ସୂଚନା ଦେଇଥାନ୍ତେ, ତେବେ ପୁଲିସ ନିଶ୍ଚୟ ତଦନ୍ତ କରିଥାନ୍ତା । ଫଳରେ ୧୯୯୩ମସିହା ମାର୍ଚ୍ଚ୧୨ରେ ମୁମ୍ବାଇରେ ହୋଇଥିବା ବୋମା ବିସ୍ଫୋରଣକୁ ରୋକାଯାଇପାରିଥାନ୍ତା।। ଅଭିନେତା ନୀରବ ରହିଥିବାରୁ ଅନେକ ନୀରିହଲୋକଙ୍କ ଜୀବନ ଚାଲି ଯାଇଥିଲା।
ସଞ୍ଜୟ ଦତ୍ତଙ୍କୁ ଅବୈଧ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ଟାଡା ଆକ୍ଟ ଅଧୀନରେ ଗିରଫ କରାଯାଇଥିଲା। ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ସଞ୍ଜୟ ଦତ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାଞ୍ଚ ବର୍ଷ ପାଇଁ ଜେଲ ଦଣ୍ଡ ହୋଇଥିଲା। ଅଭିନେତା ପୁଣେର ୟେରୱାଡା ଜେଲରେ ଏହି ଦଣ୍ଡ ପୂରଣ କରିଥିଲେ। ୨୦୧୬ରେ ସେ ଜେଲରୁ ମୁକ୍ତ ହୋଇଥିଲେ। ଏକଥା ବି ସତ ଯେ ସଞ୍ଜୟଙ୍କ ପାଖରେ ଏକ ଏକେ-୪୭ ବନ୍ଧୁକ ଥିଲା, କିନ୍ତୁ ସେ କେବେ ଏହାକୁ ବ୍ୟବହାର କରି ନଥିଲେ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/15/ujjal-nikam-sanjay-dutt-2025-07-15-17-05-19.jpg)