ନୂଆଦିଲ୍ଲୀ : ଚଳିତ ବର୍ଷ ଅଗଷ୍ଟ ୧୦ରୁ ଆରମ୍ଭ ହୋଇଥିବା ଉଜ୍ଜ୍ବଳା ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ନଭେମ୍ବର ୨୮ ସୁଦ୍ଧା ଓଡ଼ିଶାରେ ୩,୯୩,୦୦୦ ନୂଆ ଏଲ୍ପିଜି ସଂଯୋଗ ପ୍ରଦାନ କରାଯାଇଛି। ପେଟ୍ରୋଲିୟମ୍ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଲୋକସଭାରେ ଏହି ସୂଚନା ଦେଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ସର୍ବାଧିକ ୧୭ ଲକ୍ଷ ୯୦ ହଜାର ୮୪୮ ନୂଆ ଏଲ୍ପିଜି ସଂଯୋଗ ପ୍ରଦାନ କରାଯାଇଛି। ଏହା ପଛକୁ ଉତ୍ତରପ୍ରଦେଶରେ ୧୩,୧୪,୦୫୯, ବିହାରରେ ୧୩,୦୯,୦୪୭, ମଧ୍ୟପ୍ରଦେଶରେ ୬,୬୯,୪୩୭, ଗୁଜରାଟରେ ୪,୫୯,୦୦୯, ଆସାମରେ ୪,୨୦,୮୫୨, ଛତିଶଗଡ଼ରେ ୩,୨୫,୮୨୯, କର୍ଣ୍ଣାଟକରେ ୨,୫୨,୧୪୦, ରାଜସ୍ଥାନରେ ୨,୧୪,୧୬୮, ମହାରାଷ୍ଟ୍ରରେ ୨,୨୪,୦୭୫, ତାମିଲନାଡୁରେ ୧,୬୮,୩୧୩ ଓ ଝାଡ଼ଖଣ୍ଡରେ ୧,୬୭,୨୨୧ ନୂଆ ଏଲ୍ପିଜି ସଂଯୋଗ ପ୍ରଦାନ କରାଯାଇଛି।
ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୮ କୋଟି ନୂଆ ଏଲ୍ପିଜି ସଂଯୋଗ ଦିଆଯାଇଥିଲା। ଏହି ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ୧ କୋଟି ନୂଆ ଏଲ୍ପିଜି ସଂଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିରୁ ନଭେମ୍ବର ୨୮ ସୁଦ୍ଧା ୭୮.୯୮ ଲକ୍ଷ ସଂଯୋଗ ଜାରି କରାଯାଇସାରିଛି। ଉଜ୍ଜ୍ବଳା ଯୋଜନାରେ ଏଲ୍ପିଜି ସଂଯୋଗ ସହିତ ପ୍ରଥମ ରିଫିଲ୍ ଓ ଷ୍ଟୋଭ୍କୁ ମାଗଣାରେ ପ୍ରଦାନ କରାଯାଉଛି। ଏହାର ଦ୍ବିତୀୟ ପର୍ଯ୍ୟାୟରେ ହିତାଧିକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେତେକ ନୂଆ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଜ୍ଜ୍ବଳା ସଂଯୋଗ ପାଇଁ ଅନ୍ଲାଇନ୍ରେ ଆବେଦନର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ସୁବିଧା ଲାଗି ଠିକଣା ଓ ପରିବାର ବିବରଣୀର ସ୍ବ-ଘୋଷଣା କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/ujjwal-yojanan111-1.jpg)