ନୂଆଦିଲ୍ଲୀ/ ଭୁବନେଶ୍ୱର: ଏବେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚର୍ଚ୍ଚାରେ ଅଛନ୍ତି ବ୍ରିଟେନରେ ରହୁଥିବା ପ୍ରବାସୀ ଓଡ଼ିଆ ନିବେଶକ ବିଶ୍ୱନାଥ ପଟ୍ଟନାୟକ ଓ ଉଦ୍ୟୋଗୀ ଅରୁଣ କର। ପ୍ରସିଦ୍ଧ ଅନ୍ତର୍ଜାତୀୟ ପତ୍ରିକା ଫୋର୍ବସର ପ୍ରଚ୍ଚଦପଟ୍ଟରେ ସେମାନଙ୍କର ଖବର ସ୍ଥାନିତ ହୋଇଛି- ଏହାର ଶୀର୍ଷକ ରହିଛି ‘ଟୁ ଅନଷ୍ଟପେବଲ୍ ଇଣ୍ଡିଆନସ୍ ଚେଞ୍ଜିଂ ଦ ୱାର୍ଲଡ୍’। ନିଜର ବ୍ୟାବସାୟିକ ଚିନ୍ତାଧାରା ଓ ନୂତନ ପ୍ରକଳ୍ପରେ ବିନିଯୋଗ ନେଇ ସେମାନେ ଚର୍ଚ୍ଚା ସାଉଁଟିଛନ୍ତି। ଦୁଇଜଣଙ୍କ କମ୍ପାନି ଫିନ୍ନେଷ୍ଟ ଏବେ ଅନ୍ତର୍ଜାତୀୟ ଗୁରୁତ୍ବ ହାସଲ କରିଛି। ତେବେ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏ ଦୁହେଁ ଓଡ଼ିଶାରେ ଏକ ଇଭି-ହାଇଡ୍ରୋଜେନ୍ ଟ୍ରକ୍ ଏବଂ ବାଣିଜ୍ୟିକ ଭାରୀ ଯାନ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସେମାନେ ସ୍ୱଚ୍ଛ ଓ ଅକ୍ଷୟ ଶକ୍ତି, ସ୍ଥାୟୀ ପରିବେଶ ସମାଧାନ କ୍ଷେତ୍ରରେ ବିଶୃଙ୍ଖଳାମୂଳକ ଚିନ୍ତାଧାରା ଉପରେ ଗୁରୁତ୍ୱ ଦେଉଥିବା ସେମାନଙ୍କ ଫିନ୍ନେଷ୍ଟ (ଏଫ୍ଆଇଏନ୍ଏନ୍ଇଏସ୍ଟି) କମ୍ପାନି ଜରିଆରେ ଏହି ପ୍ରକଳ୍ପରେ ୫୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛନ୍ତି। ଜାତୀୟ ଗଣମାଧ୍ୟମ ‘ଦ ନ୍ୟୁଇଣ୍ଡିଆନ୍ ଏକ୍ସପ୍ରେସ’ରେ ଏହି ଖବର ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ, ଏହି ପ୍ରସ୍ତାବିତ ଇଭି-ହାଇଡ୍ରୋଜେନ୍ ଟ୍ରକ୍ ଉତ୍ପାଦନ ୟୁନିଟ୍ ଦେଶରେ ପ୍ରଥମ ହେବ; ଯେଉଁଥିରେ ଉଭୟ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ଏବଂ ବ୍ୟାଟେରି ଇଲେକ୍ଟ୍ରିକ୍ ଦ୍ୱାରା ପରିଚାଳିତ ଭାରୀଯାନ ଉତ୍ପାଦନ ଉପରେ ଧ୍ୟାନ ଦିଆଯିବ ବୋଲି ଫିନ୍ନେଷ୍ଟର ନିର୍ଦ୍ଦେଶକ ଅରୁଣ କର କହିଛନ୍ତି।
ଏହି ଟ୍ରକ୍ଗୁଡ଼ିକରେ ବିଶ୍ୱସ୍ତରୀୟ ପେଟେଣ୍ଟ୍ ଟେକ୍ନୋଲୋଜି ବ୍ୟବହାର କରାଯିବ ଏବଂ ଏହା ସ୍ୱଚ୍ଛ ଶକ୍ତି ପରିବହନରେ ଏକ ନୂତନ ଇକୋସିଷ୍ଟମ ସୃଷ୍ଟି କରିବ। ଆମେ ୭ ଟନ୍ ଏବଂ ୧୩ ଟନ୍ କ୍ଷମତା ବିଶିଷ୍ଟ ଟ୍ରକ୍ ଏବଂ ଲରି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ପରିବହନ ଏବଂ ଲଜିଷ୍ଟିକ୍ କ୍ଷେତ୍ରକୁ ସେବା ପ୍ରଦାନ କରିବ ବୋଲି ଶ୍ରୀ କର ‘ଦ ନ୍ୟୁଇଣ୍ଡିଆନ୍ ଏକ୍ସପ୍ରେସ’କୁ କହିଛନ୍ତି।
ଏହି କାରଖାନାରେ ବାର୍ଷିକ ୩,୦୦୦ ଯାନ ଉତ୍ପାଦନ କ୍ଷମତା ରହିବ ଏବଂ ଏଥିସହିତ ଆନୁଷଙ୍ଗିକ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହିତ ୫୦୦ରୁ ଅଧିକ ଲୋକଙ୍କୁ ସିଧାସଳଖ ନିଯୁକ୍ତି ମିଳିବ। ଦକ୍ଷ ମାନବ ସମ୍ବଳର ଅଭାବ ନଥିବା ଓଡ଼ିଶାରୁ ୮୦ ପ୍ରତିଶତରୁ ଅଧିକ କର୍ମଚାରୀ ନିଯୁକ୍ତି ପାଇବେ। ଇଭି ଉତ୍ପାଦନରେ ଟ୍ରେଣ୍ଡସେଟର ହେବା ପାଇଁ ଓଡ଼ିଆ ଯୁବକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।
ଖୁବଶୀଘ୍ର ଫିନ୍ନେଷ୍ଟର ନିର୍ଦ୍ଦେଶକ ଯୋଡ଼ି ବିଶ୍ୱନାଥ- ଅରୁଣ ଏହି ପ୍ରସ୍ତାବ ନେଇ ଓଡ଼ିଶା ସରକାରଙ୍କ ନିକଟକୁ ଆସିବେ। ୨୦୨୬-୨୭ରେ ପ୍ରଥମ ଟ୍ରକ୍ ଚଳାଚଳ କରିବାକୁ କଂପାନି ଲକ୍ଷ୍ୟ ଧାର୍ଯ୍ୟ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱରେ ଆମ କମ୍ପାନି ଫିନ୍ନେଷ୍ଟ ଓଡ଼ିଶାର ବିକାଶ କାହାଣୀର ଅଂଶ ହେବାକୁ ଚାହୁଁଛି। ରାଜ୍ୟ ସରକାରଙ୍କ ସମ୍ଭାବ୍ୟ ସହଯୋଗରେ ଆମେ ଶକ୍ତି, ସ୍ୱାସ୍ଥ୍ୟସେବା, ଭିତ୍ତିଭୂମି ପ୍ରକଳ୍ପ ଏବଂ ଫିନଟେକ୍ କ୍ଷେତ୍ରରେ ପୁଞ୍ଜିନିବେଶ କରିବୁ, ଯାହା ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶାର ବିକାଶକୁ ତ୍ୱରାନ୍ଵିତ କରିବ ବୋଲି ଶ୍ରୀ ପଟ୍ଟନାୟକ ‘ଦ ନ୍ୟୁଇଣ୍ଡିଆନ୍ ଏକ୍ସପ୍ରେସ’କୁ କହିଛନ୍ତି।
କମ୍ପାନି ଏକ ବାୟୋ ବ୍ୟାଗ୍ ଉତ୍ପାଦନ କାରଖାନା ମଧ୍ୟ ସ୍ଥାପନ କରିବାକୁ ଯୋଜନା କରିଛି ଯାହା ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବଦଳରେ ବାୟୋ-ଡିଗ୍ରେଡେବଲ୍ କ୍ୟାରି ବ୍ୟାଗ୍ ଉତ୍ପାଦନ କରିବ। ଏହି ପ୍ରକଳ୍ପରେ ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଆମର ଉତ୍ପାଦ ଏକ ଅନନ୍ୟ ଟେକ୍ନୋଲୋଜି ବ୍ୟବହାର କରେ ଯାହା ପେଟେଣ୍ଟ ଫାଇଲିଂ ଅଧୀନରେ ଅଛି। ଏଥିରେ ପାରମ୍ପରିକ ମକା ଷ୍ଟାର୍ଚ ବଦଳରେ କାସାଭା ପ୍ଲାଣ୍ଟ ଷ୍ଟାର୍ଚ ବ୍ୟବହାର କରାଯାଏ। ଏହା ଦ୍ରୁତ ବାୟୋଡିଗ୍ରେଡେବିଲିଟି ସୁନିଶ୍ଚିତ କରେ। ଏହା ଯଥେଷ୍ଟ ସ୍ଥାୟୀ ହୋଇଥିବା ବେଳେ ବ୍ୟାଗ୍ଟି ୮୦ ଡିଗ୍ରିରେ ପାଣିରେ ସମ୍ପୂର୍ଣ୍ଣ ଦ୍ରବୀଭୂତ ହୋଇଯାଏ ବୋଲି ଶ୍ରୀ କର କହିଛନ୍ତି।