ରୋଷେଇ ଘର ମରାମତି ବେଳେ ପୋତା ହୋଇଥିବା ୨.୩ କୋଟି ଟଙ୍କାର ସ୍ବର୍ଣ୍ଣମୁଦ୍ରା ପାଇଲେ ଦମ୍ପତି: ରିପୋର୍ଟ

ନୂଆଦିଲ୍ଲୀ: ଇଂଲଣ୍ଡର ଉତ୍ତର ୟର୍କସାୟର୍‌ବାସୀ ଦମ୍ପତି ସେମାନଙ୍କ ରୋଷେଇଘର ନବିକରଣ କରୁଥିବା ବେଳେ ଚଟାଣରେ ପୋତା ହୋଇଥିବା ୨୬୪ଟି ସ୍ବର୍ଣ୍ଣମୁଦ୍ରା ପାଇଥିବା କଥା ସମ୍ବାଦପତ୍ର ‘ଦି ଟାଇମ୍‌ସ୍‌’ ରିପୋର୍ଟ କରିଛି।

୨୫୦,୦୦୦ ପାଉଣ୍ଡ୍‌ ବା ୨.୩ କୋଟି ଟଙ୍କା ମୂଲ୍ୟର ଉକ୍ତ ପ୍ରାଚୀନ ସ୍ବର୍ଣ୍ଣମୁଦ୍ରାଗୁଡ଼ିକୁ ବିକ୍ରୟ କରିଦେବାକୁ ସ୍ଥିର କରିଛନ୍ତି। ୪୦୦ ବର୍ଷ ପୁରାତନ ମନେହେଉଥିବା ଉକ୍ତ ସ୍ବର୍ଣ୍ଣମୁଦ୍ରା ସବୁକୁ ‘ସ୍ପିଙ୍କ୍‌ ଆଣ୍ଡ୍ ସନ୍‌’ ଜରିଆରେ ନିଲାମ କରାଯାଇ ବିକ୍ରୟ କରାଯିବ।

ସଂଗୃହୀତ ସୂଚନା ଅନୁସାରେ, ଉକ୍ତ ଦମ୍ପତି ଏଲର୍ବାଇ ଗ୍ରାମର ନିକାଞ୍ଚନ ସ୍ଥାନରେ ଥିବା ସେମାନଙ୍କ ୧୮ଶ ଶତାବ୍ଦୀ ଘରର ଚଟାଣ ବୋର୍ଡ ଉଠାଇବା ପରେ ଏହି ଚମକପ୍ରଦ ଆବିଷ୍କାର ହୋଇଥିଲା। ଚଟାଣ ବୋର୍ଡ ଉଠାଇବା ବେଳେ ପ୍ରଥମେ ସେମାନଙ୍କର ମନେହୋଇଥିଲା ସମ୍ଭବତଃ ଗୋଟାଏ ବିଜୁଳି କେବୁଲ୍‌କୁ ଧକ୍କା ଲାଗିଗଲା। କିନ୍ତୁ, ପରକ୍ଷଣରେ ସେମାନେ ଦେଖିଲେ କଂକ୍ରିଟ୍‌ ଚଟାଣର ମାତ୍ର ୬ ଇଞ୍ଚ ଗଭୀରରେ କୋକ୍‌ କ୍ୟାନ୍‌ ଆକାରର ଧାତବ ପାତ୍ର ମଧ୍ୟରେ ଗଦା ହୋଇଥିବା ମୁଦ୍ରା। ଗତ ୧୦ ବର୍ଷ ହେବ ଉକ୍ତ ଦମ୍ପତି ସେ ଘରେ ବସବାସ କରୁଥିଲେ।

Image Courtesy of News Cinema

ମୁଦ୍ରା ଗଦାକୁ ପରଖି ଦେଖିବା ବେଳେ ସେମାନେ ଜାଣିବାକୁ ପାଇଲେ ସେସବୁ ୧୬୧୦ରୁ ୧୭୨୭ ଖ୍ରୀଷ୍ଟାବ୍ଦ ଅର୍ଥାତ୍‌ ରାଜା ପ୍ରଥମ ଜେମ୍‌ସ୍‌ ଓ ପ୍ରଥମ ଚାର୍ଲସ୍‌ଙ୍କ ଶାସନ ଅମଳର।

ଏହି ମୁଦ୍ରାଗୁଡ଼ିକ ହଲ୍‌ର କୌଣସି ବିତ୍ତଶାଳୀ ତଥା ପ୍ରଭାବଶାଳୀ ସୌଦାଗର ପରିବାର ହୋଇଥାଇ ପାରେ ବୋଲି ମନେହେଉଥିବା କଥା ‘ଦି ଟାଇମ୍‌ସ୍‌’ ଲେଖିଛି।

ସମ୍ବନ୍ଧିତ ଖବର