ଲଣ୍ଡନ : ବିବାଦୀୟ ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ତଥା ମଧ୍ୟସ୍ଥି ସଂଜୟ ଭଣ୍ଡାରିଙ୍କୁ ଭାରତକୁ ପ୍ରତ୍ୟାର୍ପଣ ପାଇଁ ଲଣ୍ଡନର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭାରତରେ ତାଙ୍କ ବିରୋଧରେ ଟିକସ ଫାଙ୍କିବା ଓ ବେଆଇନ ଅର୍ଥ କାରବାର ଅଭିଯୋଗରେ ଦୁଇଟି ଅଲଗା ଅଲଗା ମାମଲା ରୁଜ୍ଜୁ ହୋଇଛି । ଏହି ମାମଲାକୁ ଭିତ୍ତି କରି ଭାରତ ସରକାର ବ୍ରିଟେନ ସରକାରଙ୍କ ନିକଟରେ ପ୍ରତ୍ୟାର୍ପଣ ଆବେଦନ କରିଥିଲେ ।

Advertisment

ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟର ଡିଷ୍ଟ୍ରିକ୍ଟ ଜଜ୍ ମାଇକେଲ ସ୍ନୋ ଏହି ରାୟ ପ୍ରକାଶ କରି କହିଛନ୍ତି ଯେ ସଂଜୟ ଭଣ୍ଡାରିଙ୍କୁ ଭାରତ ପ୍ରତ୍ୟାର୍ପଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ । କୋର୍ଟଙ୍କ ଏହି ଆଦେଶକୁ ବ୍ରିଟେନର ଗୃହମନ୍ତ୍ରୀ ସୁଏଲା ବ୍ରାଭରମାନଙ୍କୁ ନିକଟକୁ ପଠାଇ ଦିଆଯାଇଛି । ନିୟମ ଅନୁସାରେ ବ୍ରିଟିଶ ଗୃହମନ୍ତ୍ରୀ ହିଁ ପ୍ରତ୍ୟାର୍ପଣ ପାଇଁ ନିର୍ଦ୍ଦେଶ ଜାରି କରିପାରିବେ ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ସଂଜୟଙ୍କୁ ନେଇ ଭାରତ ସରକାର ଦେଇଥିବା ପ୍ରତିଶ୍ରୁତିକୁ ଭିତ୍ତି କରି ଏହି ନିର୍ଦ୍ଦେଶ ଦିଆଯାଉଛି । ଭାରତ ସରକାରଙ୍କ ଆଶ୍ବାସନା ଅନୁସାରେ ତିହାର ଜେଲରେ ଏକ ସ୍ବତନ୍ତ୍ର ସେଲରେ ସଂଜୟଙ୍କୁ ରଖାଯିବ ଓ ତାଙ୍କର ସ୍ବାସ୍ଥ୍ୟସେବା ପାଇଁ ଆବଶ୍ୟକ ସୁବିଧା କରାଯିବ ।

ୟୁପିଏ ସରକାରଙ୍କ ସମୟରେ ସଂଜୟ ଭଣ୍ଡାରି ଜଣେ ପ୍ରଭାବଶାଳୀ ଅସ୍ତ୍ର ବ୍ୟବସାୟୀ ଓ ମଧ୍ୟସ୍ଥି ଭାବେ ପରିଚିତ ଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗାନ୍ଧି ପରିବାରର ଜାମାତା ରବର୍ଟ ଭାଡ୍ରାଙ୍କ ସହିତ ସେ ଘନିଷ୍ଠ ଥିଲେ ।