ଆମେରିକାକୁ ପ୍ରତ୍ୟାର୍ପିତ ହେବେ ଓ୍ବିକିଲିକ୍ସ ପ୍ରତିଷ୍ଠାତା ଆସେଞ୍ଜ୍, ଲଣ୍ଡନ କୋର୍ଟଙ୍କ ରାୟ

ଲଣ୍ଡନ : ଲଣ୍ଡନର ଏକ କୋର୍ଟ ବୁଧବାରଦିନ ଓ୍ବିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ଆମେରିକାକୁ ପ୍ରତ୍ୟାର୍ପଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଇରାକ ଓ ଆଫଗାନିସ୍ତାନ ଯୁଦ୍ଧ ସମ୍ପର୍କରେ ଗୋପନ ଆମେରିକୀୟ ଫାଇଲକୁ ପ୍ରକାଶ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଆମେରିକାରେ ମାମଲା ରୁଜ୍ଜୁ ହୋଇଛି । ତେବେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଏବେ ବ୍ରିଟେନର ଆଭ୍ୟନ୍ତରୀଣ ମନ୍ତ୍ରୀ ପ୍ରିତି ପଟେଲ ନେବେ । ଆହୁରି ମଧ୍ୟ ଏହି ନିଷ୍ପତ୍ତି ବିରୋଧରେ ଆସେଞ୍ଜ୍ ଆସନ୍ତା ୧୪ ଦିନ ମଧ୍ୟରେ ଅପିଲ କରିପାରିବେ ।

ଆସେଞ୍ଜଙ୍କ ଓକିଲମାନେ କହିଛନ୍ତି ଯେ ସେମାନେ ପ୍ରତ୍ୟାର୍ପଣ ବିରୋଧରେ କୋର୍ଟରେ ପୁଣି ଅପିଲ କରିବେ ଓ ପ୍ରିତି ପଟେଲଙ୍କ ନିକଟରେ ବି ଆବେଦନ କରିବେ ।  ଆମେରିକାକୁ ପ୍ରତ୍ୟାର୍ପଣ ହେବା ପରେ ଆସେଞ୍ଜଙ୍କୁ ଆଜୀବନ କାରାଦଣ୍ଡ ହୋଇପାରେ । ଆମେରିକାର ପ୍ରାୟ ୫ ଲକ୍ଷ ମିଲିଟାରୀ ଫାଇଲକୁ ସାର୍ବଜନୀନ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି ।

୨୦୧୯ ଏପ୍ରିଲ ମାସରେ ଲଣ୍ଡରେ ଜୁଲିଆନ ଆସେଞ୍ଜଙ୍କୁ  ଗିରଫ କରାଯାଇଥିଲା । ତାଙ୍କୁ ବ୍ରିଟିଶ୍ ପୁଲିସ ଲଣ୍ଡନ ସ୍ଥିତ ଇକ୍ୱେଡର ଦୂତାବାସରୁ ଗିରଫ କରିଥିଲା ।୨୦୧୨ରୁ ସେ ଉକ୍ତ ଦୂତାବାସରେ ରହୁଥିଲେ । ଇକ୍ୱେଡର ତାଙ୍କୁ ଦେଇଥିବା ଆଶ୍ରୟ ପ୍ରତ୍ୟାହାର କରିବାରୁ ତାଙ୍କୁ ପୁଲିସ ଗିରଫ କରିଥିଲା । ସ୍ୱିଡେନରେ ତାଙ୍କ ବିରୋଧରେ ଏକ ଯୌନ ନିର୍ଯାତନା ମାମଲାକୁ ନେଇ ଓ୍ଵାରେଣ୍ଟ ଜାରି ହୋଇଥିଲା ।

ସମ୍ବନ୍ଧିତ ଖବର