ବିଜୟ ମାଲ୍ୟାଙ୍କୁ ଧକ୍କା, ଭାରତକୁ ପଠାଇବାକୁ ଲଣ୍ଡନ କୋର୍ଟଙ୍କ ନିର୍ଦ୍ଦେଶ

ଲଣ୍ଡନ: ପ୍ରାୟ ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ନ ଶୁଝି ବିଦେଶ ପଳାଇଯାଇଥିବା ବିଜୟ ମାଲ୍ୟାକୁ ଭାରତକୁ ପ୍ରତ୍ୟାର୍ପଣ ପାଇଁ ଲଣ୍ଡନର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚିଫ ମାଜିଷ୍ଟ୍ରେଟ ଜଜ ଏମା ଏବର୍ଟନଟ ଏହି ରାୟ ଶୁଣାଇଛନ୍ତି । ଏହି ରାୟକୁ ଭିତ୍ତିକରି ଏବେ ମାମଲା ବ୍ରିଟେନର ଗୃହ ସଚିବ ସାଜିଦ ଜାଭିଦଙ୍କ ଅଫିସକୁ ପ୍ରେରଣ କରାଯିବ । ତେବେ ଏହି ରାୟ ବିରୋଧରେ ମାଲ୍ୟା ଲଣ୍ଡନ ହାଇକୋର୍ଟକୁ ଯିବାର ସମ୍ଭାବନା ରହିଛି ।

କିଛିଦିନ ତଳେ ମାଲ୍ୟା କହିଥିଲେ ଯେ ସେ ଯେଉଁଠାରେ ବି ଥାଆନ୍ତୁ, ଅର୍ଥ ପରିଶୋଧ କରିବାକୁ ରାଜି ଅଛନ୍ତି । ବ୍ୟାଙ୍କମାନେ ତାହାକୁ ନିଅନ୍ତୁ । କିନ୍ତୁ ସେ ଚୋରି କରିଥିବା ଚର୍ଚ୍ଚା ବନ୍ଦ ହେଉ ।

ଟ୍ଵିଟ୍‌ କରି ସେ ଲେଖିଛନ୍ତି ଯେ ତାଙ୍କୁ ଭାରତରେ ବ୍ୟାଙ୍କ ଠକେଇର ପୋଷ୍ଟର ବୟ ବନେଇଦିଆଯାଇଛି । ବ୍ୟାଙ୍କମାନେ ତାଙ୍କୁ ଇଚ୍ଛାକୃତ ବ୍ୟାଙ୍କ ଖିଲାପୀ ବୋଲି କହୁଛନ୍ତି । ରାଜନୈତିକ ଦଳ ଓ ମିଡିଆ ତାଙ୍କୁ ଏକ ଅପରାଧୀ ପରି ଟାର୍ଗେଟ କରୁଛନ୍ତି  । ୯ ହଜାର କୋଟି ଟଙ୍କାର ଋଣ କିଙ୍ଗଫିସର ଏୟାରଲାଇନ୍ସକୁ ଦିଆଯାଇଥିଲା, କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ସେ ସମୟରେ ତେଲଦର ବ୍ୟାରେଲ ପିଛା ରେକର୍ଡ ୧୪୫ ଡଲାରକୁ ଟପିଯାଇଥିଲା । ଏହା ଫଳରେ କମ୍ପାନି ଦେବାଳିଆ ହୋଇଯାଇଥିଲା । କିନ୍ତୁ ସେ ଏହି ଅର୍ଥ ଚୋରି କରି ନେଇଛନ୍ତି ବୋଲି ପ୍ରଚାର କରାଯାଉଛି । କିନ୍ତୁ ସେ ଇଚ୍ଛାକରି ଋଣ ଖିଲାଫ କରିନାହାନ୍ତି ବୋଲି ମାଲ୍ୟା କହିଛନ୍ତି ।

ସମ୍ବନ୍ଧିତ ଖବର