ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ଜନ୍ମଦିନ ପାର୍ଟିରେ ହିନ୍ଦୀରେ ଉଦ୍‌ବୋଧନ ଦେଲେ ଇଂଲଣ୍ଡ୍‌ର କୂଟନୀତିଜ୍ଞ

ନୂଆଦିଲ୍ଲୀ: ବୁଧବାର ରାତିରେ ବ୍ରିଟିସ୍‌ ହାଇ କମିସନରେ ଆୟୋଜିତ ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ଜନ୍ମଦିନ ପାର୍ଟିରେ ବ୍ରିଟିସ୍‌ କୂଟନୀତିଜ୍ଞ ଆଲେକ୍ସ ଏଲିସ୍‌ ହିନ୍ଦୀ କହିବାର ନିପୁଣତା ପ୍ରଦର୍ଶନ କରିଥିଲେ।

ସମବେତ ଜନତାଙ୍କୁ ହିନ୍ଦୀ ଭାଷାରେ ସମ୍ଭାଷଣ ଦେଇ ଏଲିସ୍‌ କହିଲେ: ନମସ୍କାର୍, ମୈଁ ଔର୍‌ ମେରି ପତ୍ନୀ ଦୋନୋ ବହୁତ୍‌ ଖୁସ୍‌ ହୈଁ କି ଆଜ୍‌ ୟାହାଁ ଇସ୍‌ ବାର୍ ସବ୍‌ ଲୋଗ୍‌ ହୈଁ। ପିଛ୍‌ଲେ ସାଲ୍‌ କାଫି ମୁସ୍କିଲ୍‌ ଥା କୋଭିଡ୍‌ କେ ୱଜା ସେ। ଆଜ୍‌କଲ୍‌ ୟୁକ୍ରେନ୍‌ ମୈଁ ବହୁତ୍‌ ମୁସ୍‌କିଲ୍‌ ହୈ ରୁଷିଆ କେ ୱାଜା ସେ।

(ନମସ୍କାର, ମୁଁ ଓ ମୋ ପତ୍ନୀ ଦୁହେଁ ବହୁତ ଆନନ୍ଦିତ କି, ଆଜି ଏଠାରେ ଏଥର ସବୁ ଲୋକ ଅଛନ୍ତି। ଗତବର୍ଷ କୋଭିଡ୍‌ ଯୋଗୁଁ ଥିଲା ଖୁବ୍‌ ଦୁଃଖଦାୟକ। ଏବର୍ଷ ରୁଷ୍‌ ଯୋଗୁଁ ୟୁକ୍ରେନ୍‌ରେ ଦୁଃଖ ପଡ଼ିଛି।)

ହିନ୍ଦୀ ଭାଷାରେ ଏତିକି କହିବା ପରେ ବ୍ରିଟିସ୍‌ କୂଟନୀତିଜ୍ଞ ଇଂରାଜୀ ଭାଷାରେ ବକ୍ତବ୍ୟ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କ ହିନ୍ଦୀ ଶିକ୍ଷକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ସମ୍ଭବତଃ ଲଜ୍ଜାବଶତଃ ମୁହଁଲୁଚା ଦେଉଛନ୍ତି। ଗୁରୁଜୀ କ୍ଷମା କରିବେ।

Image Courtesy of Times Now

ଇଂଲଣ୍ଡ୍‌ର ବୈଦେଶିକ ସଚିବ ଏଲିଜାବେଥ୍‌ ଟ୍ରସ୍‌ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ମଧ୍ୟରେ ଆଲୋଚନା ହେବା ପୂର୍ବରୁ ଉପରୋକ୍ତ ପାର୍ଟି ଆୟୋଜନ କରାଯାଇଥିଲା। ଏହି ଆଲୋଚନାରେ ରୁଷ୍‌-ୟୁକ୍ରେନ୍‌ ସଙ୍କଟ ପ୍ରସଙ୍ଗ ପଡ଼ିପାରେ ବୋଲି ଏଲିସ୍‌ ସୂଚନା ଦେଇଛନ୍ତି।

ସେ କହିଲେ, ୟୁକ୍ରେନ୍‌ ସଂକ୍ରାନ୍ତରେ ମୁଁ କୌଣସି ସୁନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ଚାହୁଁନାହିଁ। ମୋ କହିବାର କଥା ହେଲା ‘ୟୁଏନ୍‌ ଚାର୍ଟର୍‌’ର ନିୟମାବଳୀ ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଠିକ୍‌ ଏହି କଥା ହିଁ ଆମ ବୈଦେଶିକ ସଚିବ ମାର୍ଚ ୩୧ ତାରିଖ ଦିନ ଜୟଶଙ୍କ ସହିତ ଆଲୋଚନା କରିବେ।

ପାର୍ଟିରେ ଉପସ୍ଥିତ ଥିବା ‘ନୀତି ଆୟୋଗ’ର ‘ସିଇଓ’ ଅମିତାଭ କାନ୍ତ କହିଲେ ଯେ, ବ୍ରିଟେନ୍‌ ସହିତ ଆମର ଦୀର୍ଘ ଐତିହାସିକ ସମ୍ପର୍କ ରହିଛି। କିନ୍ତୁ, ବାଣିଜ୍ୟ, ବିନିଯୋଗ, ଜଳବାୟୁ ପରିବର୍ତ୍ତନ ‌କ୍ଷେତ୍ରରେ ଆମର ସମ୍ପର୍କ ଅତି ସକ୍ରିୟ।

ସମ୍ବନ୍ଧିତ ଖବର