ଲଣ୍ଡନ: ବ୍ରିଟେନରେ ଋଷି ସୁନକଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍ ପାର୍ଟି ଚଳାଇଥିବା ୧୪ ବର୍ଷର ଶାସନର ଆଜି ଅନ୍ତ ଘଟିଛି। ବ୍ରିଟେନ୍ ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ହାସଲ କରିଛି ଏବଂ କେୟର ଷ୍ଟାର୍ମର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ନିର୍ବାଚନ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା ହେବାମାତ୍ରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ତଫା ଦେଇଥିଲେ ଏବଂ ଲେବର ପାର୍ଟି ନେତା ଷ୍ଟାର୍ମର ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ୬୫୦ ଆସନ ବିଶିଷ୍ଟ ସଂସଦରେ ଲେବର ଦଳ ୩୨୬ର ମ୍ୟାଜିକ୍ ନମ୍ବର ଅତିକ୍ରମ କରିବା ପରେ ସୁନକ ଦଳର ପରାଜୟ ସ୍ୱୀକାର କରିଥିଲେ। ଶୁକ୍ରବାର ସକାଳେ ଲଣ୍ଡନରେ ଏକ ବିଜୟ ରାଲିକୁ ସମ୍ବୋଧିତ କରି ଷ୍ଟାର୍ମର କହିଛନ୍ତି, ବର୍ତ୍ତମାନ ପରିବର୍ତ୍ତନ ଆରମ୍ଭ ହୋଇଛି ଏବଂ ଏଭଳି ଜନାଦେଶ ତାଙ୍କୁ ଏକ ବଡ଼ ଦାୟିତ୍ୱ ପ୍ରଦାନ କରିଛି। ନିଜ ସଂସଦୀୟ ଆସନ ବଜାୟ ରଖିଥିବା ସୁନକ କହିଛନ୍ତି ଯେ ଟୋରି ଦଳର ରେକର୍ଡ ପରାଜୟରକୁ ଆମେ ସ୍ବୀକାର କରୁଛି ଏବଂ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇଛି।

Advertisment

ପରିବର୍ତ୍ତନ ପାଇଁ ଶପଥ ନେଲେ ନୂଆ ବ୍ରିଟିସ ପ୍ରଧାନମନ୍ତ୍ରୀ ଷ୍ଟାର୍ମର
ପରାଜୟ ସ୍ବୀକାର କଲେ ସୁନକ

ଲେବର ଦଳ ୪୧୨ଟି ଆସନରେ ବିଜୟୀ ହୋଇଥିବା ବେଳେ ଟୋରି (କଞ୍ଜରଭେଟିଭ୍‌) ୧୨୦ଟି ଆସନ ସହ ଦ୍ବିତୀୟ ସ୍ଥାନରେ ରହିଛି, ଯାହା କି ୨୦୧୯ ନିର୍ବାଚନରେ ପାଇଥିବା ୩୬୫ଟି ଆସନରୁ ଯଥେଷ୍ଟ କମ୍। ଲିବରାଲ ଡେମୋକ୍ରାଟମାନେ ୭୧ଟି ଆସନ ପାଇଥିବା ବେଳେ ସ୍କଟିସ ନ୍ୟାସନାଲ ପାର୍ଟି ୯ଟି ଆସନରେ ବିଜୟୀ ହୋଇଛି। ବ୍ରେକ୍‌ଜିଟ୍ ଚାମ୍ପିୟନ ନାଇଜେଲ ଫାରେଜଙ୍କ ନେତୃତ୍ବାଧୀନ ଦକ୍ଷିଣପନ୍ଥୀ ରିଫର୍ମ ୟୁକେ ୪ଟି ଆସନରେ ବିଜୟୀ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ସମାବେଶରେ କେୟର ଷ୍ଟାର୍ମର କହିଛନ୍ତି ଯେ ପରିବର୍ତ୍ତନ ଆଣିବା ପାଇଁ ସେ କାର୍ଯ୍ୟ କରିବେ। ସେ ରାଜନୀତିରେ ସେବା ଓ ସମ୍ମାନ ଫେରାଇ ଆଣିବା ଏବଂ ଦେଶକୁ ଏକତା ସୂତ୍ରରେ ବାନ୍ଧିବା ଚାହାନ୍ତି। ଏଥିରେ ସହଯୋଗ କରିବାକୁ ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିଜୟୀ ହେବାର କିଛି ଘଣ୍ଟା ପରେ ବକିଂହାମ୍ ପ୍ୟାଲେସରେ ରାଜା ତୃତୀୟ ଚାର୍ଲସଙ୍କୁ ସାକ୍ଷାତ୍ କରିବା ପରେ କେୟର ଷ୍ଟାର୍ମର ଶୁକ୍ରବାର ବିଧିବଦ୍ଧ ଭାବେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୬୧ ବର୍ଷୀୟ ଲେବର ନେତା ତାଙ୍କ ପତ୍ନୀ ଭିକ୍ଟୋରିଆ ଷ୍ଟାର୍ମରଙ୍କ ସହ ପ୍ୟାଲେସରେ ପହଞ୍ଚିଥିଲେ।

ଡାଉନିଂ ଷ୍ଟ୍ରିଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ଭୋଟରମାନଙ୍କୁ ସମ୍ବୋଧିତ କରି ଋଷି ସୁନକ କହିଛନ୍ତି, ପ୍ରଧାନମନ୍ତ୍ରୀଭାବେ ମୁଁ ମୋର ସର୍ବୋତ୍ତମ ପ୍ରୟାସ କରିଛି, କିନ୍ତୁ ଆପଣମାନେ ଏକ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ ବ୍ରିଟେନର ସରକାର ବଦଳିବା ଦରକାର। ଆପଣମାନଙ୍କର ରାୟ ଗୁରୁତ୍ୱପୂର୍ଣ୍ଣ। ମୁଁ ଆପଣଙ୍କ କ୍ରୋଧ ଓ ନିରାଶା ଶୁଣିଛି ଏବଂ ଏହି ପରାଜୟର ଉତ୍ତରଦାୟିତ୍ୱ ନେଉଛି। ତେବେ ସୁନକଙ୍କ ବ୍ୟକ୍ତିଗତ ବିଜୟ ଘଟିଥିଲେ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ଗ୍ରାଣ୍ଟ ଶାପ୍ସ, ନ୍ୟାୟ ମନ୍ତ୍ରୀ ଆଲେକ୍ସ ଚକ୍, କମନ୍ସ ନେତା ପେନି ମୋରଡଣ୍ଟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରୁସଙ୍କ ସମେତ ୪୦ରୁ ଅଧିକ ମନ୍ତ୍ରୀ ଓ ସରକାରୀ ସଚେତକ ସେମାନଙ୍କ ଆସନ ହରାଇଛନ୍ତି। କଞ୍ଜରଭେଟିଭ୍ ପାର୍ଟି ସରକାରଙ୍କ ଅର୍ଥନୀତି ପରିଚାଳନାରେ ବ୍ୟାପକ ଅସନ୍ତୋଷ ଏବଂ ଦଳର ଆଭ୍ୟନ୍ତରୀଣ କଳହକୁ ଲେବର ପାର୍ଟିର ଏହି ସଫଳତା ପାଇଁ ଦାୟୀ କରାଯାଉଛି। ନାଇଜେଲ ଫାରେଜଙ୍କ ରିଫର୍ମ ୟୁକେରୁ ଦଳ ଅତିରିକ୍ତ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା, ଯିଏ କି ପ୍ରବାସୀ ବିରୋଧୀ ବୟାନ ଦେଇ କଞ୍ଜର୍ଭେଟିଭ୍ ଭୋଟ୍ ହ୍ରାସ କରିଥିଲା। ନିଜର ଅଷ୍ଟମ ପ୍ରୟାସରେ ନାଇଜେଲ ଫାରେଜ ସାଂସଦ ହୋଇଛନ୍ତି। ତାଙ୍କ ପ୍ରବାସୀ-ବିରୋଧୀ ନୀତି ପାଇଁ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି।