ୟୁକେ ବିଶେଷଜ୍ଞଙ୍କ ଚେତାବନୀ, ବ୍ରିଟେନ୍‌ ପ୍ରଜାତି କରୋନାଭୂତାଣୁ ସାରା ବିଶ୍ବକୁ ଗ୍ରାସିଯିବ

ଲଣ୍ଡନ: ବ୍ରିଟେନ୍‌ର କେଣ୍ଟ୍‌ ଅଞ୍ଚଳରେ ଆବିର୍ଭୂତ ହୋଇଥିବା ନୂତନ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଏବେ ବିଶ୍ବସ୍ତରୀୟ ଭୂତାଣୁ ବିଶେଷଜ୍ଞ ଏବଂ ମହାମାରୀ ବିଶେଷଜ୍ଞମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ନୂତନ ପ୍ରଜାତିର କରୋନାଭୂତାଣୁ ବିରୋଧରେ ଲଢ଼ିବା ପାଇଁ ସାଧାରଣ କୋଭିଡ୍‌-୧୯ ଟିକା ସମର୍ଥ ହେଉନଥିବାରୁ ଚିନ୍ତା ବଢ଼ିଛି। ଏବେ ଟିକାକରଣ ତ୍ବରାନ୍ବିତ ହେବା ସତ୍ତ୍ବେ ଏହି ଭୂତାଣୁ ବ୍ରିଟେନ୍‌ରେ ଛାଇଯାଇଛି ଏବଂ ଭବିଷ୍ୟତରେ ଏହା ସମଗ୍ର ବିଶ୍ବକୁ ଗ୍ରାସିଯିବା କିଛି ବିଚିତ୍ର ନୁହେଁ ବୋଲି ବ୍ରିଟେନ୍‌ର କୋଭିଡ୍‌-୧୯ ଆନୁବଂଶିକ ଅନୁଧ୍ୟାନର ନିର୍ଦ୍ଦେଶିକା ସାରୋନ୍‌ ପିକକ୍‌ ଆଶଙ୍କା ବ୍ୟକ୍ତ କରିଛନ୍ତି।

ତାଙ୍କ କହିବାନୁସାରେ, ଏହି ୧.୧.୭ ନାମକ ନୂତନ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ କିଛି ମାସ ହେଲା ସଂକ୍ରମଣ ଆରମ୍ଭ କରିଛି। ତେବେ ଦ୍ରୁତ ସଂକ୍ରମଣକ୍ଷମତା ରଖିଥିବା ଏହି ପ୍ରଜାତି ନିଜକୁ ବାରମ୍ବାର ରୂପାନ୍ତରିତ କରୁଥିବାରୁ ମୂଳ କରୋନାଭୂତାଣୁ ବିରୋଧରେ ବିକଶିତ ଟିକା ବା ପ୍ରତିରୋଧକତାର ଫଳପ୍ରଦତା ସମ୍ପର୍କରେ ଆମକୁ ଅନ୍ଧାରରେ ରହିବାକୁ ପଡୁଛି ବୋଲି ସେ କହିଛନ୍ତି। କୌଣସି ନିର୍ଦ୍ଦିଷ୍ଟ ଭୂତାଣୁ ବିରୋଧରେ ପ୍ରସ୍ତୁତ ଟିକା ବା ଔଷଧ ଅନ୍ୟ ପ୍ରଜାତି ପାଇଁ କାମ କରିବ ବୋଲି କିଛି ନିଶ୍ଚିତତା ନାହିଁ। ସମ୍ପ୍ରତି ତିନି ପ୍ରକାରର ରୂପାନ୍ତରିତ ନୂତନ ପ୍ରଜାତି ବିଶ୍ବ ଭୂତାଣୁ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଛି। ସେଗୁଡ଼ିକ ହେଲା ୨୦୧/୫୦୧.ଵାଇ.ଭି୨ ବା ବି.୧.୩୫୧ ନାମକ ଦକ୍ଷିଣ ଆଫ୍ରିକା ପ୍ରଜାତି, ୨୦୧/୫୦୧.ଵାଇ.ଭି୧ ବା ବି.୧.୧.୭ ନାମକ ତଥାକଥିତ ବ୍ରିଟେନ୍‌ ବା କେଣ୍ଟ୍‌ ପ୍ରଜାତି ଓ ଜ.୧ ନାମକ ବ୍ରାଜିଲ୍‌ ପ୍ରଜାତି। ସେମାନଙ୍କ ଭିତରୁ ଅଧିକ ଘାତକ ନହେଲେ ବି ଅନ୍ୟମାନଙ୍କ ତୁଳନାରେ ସର୍ବାଧିକ ସଂକ୍ରମଣକ୍ଷମ ଥିବା ବ୍ରିଟେନ୍‌ ପ୍ରଜାତି ସାରା ବିଶ୍ବକୁ ଘାଇଲା କରିଦେବ ବୋଲି ପିକକ୍‌ ଆଶଙ୍କା କରୁଛନ୍ତି।

ସମ୍ବନ୍ଧିତ ଖବର