ପ୍ରଧାନମନ୍ତ୍ରୀଙ୍କ ପରେ ସ୍ୱାସ୍ଥ୍ୟମନ୍ତ୍ରୀ: କରୋନାରେ ଆକ୍ରାନ୍ତ ହେଲେ ବ୍ରିଟିଶ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ୍ ହାନକୋକ୍

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନା ଭାଇରସର ଦ୍ୱାରା ଆକ୍ରାନ୍ତ ହେବା ପରେ ଏବେ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ମଧ୍ୟ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ନିଶ୍ଚିତ କରିଛନ୍ତି | ଏ ନେଇ ସେ ଟୁଇଟ କରି ଜଣାଇବା ସହ ଏବେ ସେ ଘରୁ କାମ କରିବେ ବୋଲି ଜଣାଇଛନ୍ତି | ସେ କରିଥିବା ଟୁଇଟରେ ଲେଖା ଯାଇଛି କି, “ଡାକ୍ତରୀ ପରାମର୍ଶ ଅନୁସରଣ କରି ମୋତେ #କରୋନାଭାଇରସ୍ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଥିଲା। ପରୀକ୍ଷା ପରେ ଏବେ ମୋ ରିପୋର୍ଟ ପଜିଟିଭ୍ ଆସିଛି। ଖୁସିର କଥା ମୋର ଲକ୍ଷଣ ସାମାନ୍ୟ ଥିବା ସହ ମୁଁ ଘରୁ କାମ କରୁଛି ଏବଂ ସଙ୍ଗରୋଧରେ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ଟ୍ୱିଟ୍ କରିଛନ୍ତି।

ସୂଚନା ମୁତାବକ, କିଛି ଘଣ୍ଟା ପୂର୍ବରୁ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନା ଭାଇରସର ଦ୍ୱାରା ଆକ୍ରାନ୍ତ ହୋଇଥିବା ଖବର ମିଳିଥିଲା | ଏ ନେଇ ସେ ନିଜେ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ସୂଚନା ଦେଇଥିଲେ | “ଗତ ୨୪ଘଣ୍ଟା ମଧ୍ୟରେ ମୁଁ କରୋନାର ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ନିଶ୍ଚିତ ହେବା ପାଇଁ ସ୍ବାବ୍‌ ନମୁନା ପରୀକ୍ଷା କରାଇଥିଲି | ଏବେ ରିପୋର୍ଟ ପଜିଟିଭ ଆସିଛି | ମୁଁ ବର୍ତ୍ତମାନ ନିଜକୁ ସଙ୍ଗରୋଧରେ ରଖିଛି। କିନ୍ତୁ ଏହି ଭାଇରସ୍ ସହିତ ମୁକାବିଲା କରିବା ସହ ମୁଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋର କାର୍ଯ୍ୟ ନିର୍ବାହ କରିବି| ସାଥୀ ହୋଇ ଆମେ ଏହାକୁ ହରାଇବା’’ ବୋଲି ଟୁଇଟ କରିଥଲେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ |

ସମ୍ବନ୍ଧିତ ଖବର