ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ବ୍ରିଟେନର ମଞ୍ଜୁରି

ନୂଆଦିଲ୍ଲୀ/ଲଣ୍ଡନ : ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିବା ବିଜୟ ମାଲ୍ୟାଙ୍କୁ ଭାରତ ଆଣିବା ଲାଗି ବାଟ ‌ଖୋଲିଛି। ତାଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ଗତବର୍ଷ ଡିସେମ୍ବରରେ ବ୍ରିଟେନ କୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ବ୍ରିଟେନର ଗୃହମନ୍ତ୍ରୀ ସାଜିଦ ଜାବିଦ୍ ମଞ୍ଜୁରି ଦେଇଛନ୍ତି। ତେବେ ଗୃହମନ୍ତ୍ରୀଙ୍କ ମଞ୍ଜୁରି ବିରୋଧରେ ଆବେଦନ କରିବା ଲାଗି ମାଲ୍ୟାଙ୍କୁ ୧୪ ଦିନ ସମୟ ଦିଆଯାଇଛି। ଏହି ୧୪ ଦିନ‌ ଭି‌ତରେ ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟା ଲଣ୍ଡନ ହାଇକୋର୍ଟରେ ଆବେଦନ ନକଲେ ତାଙ୍କୁ ୨୮ ଦିନ ଭିତରେ ଭାରତକୁ ପ୍ରତ୍ୟର୍ପଣ କରାଯିବ।

୨୦୧୭ ଫେବ୍ରୁଆରିରେ ନୂଆଦିଲ୍ଲୀରେ ଅବସ୍ଥାପିତ ବ୍ରିଟେନର ଉଚ୍ଚାୟୁକ୍ତଙ୍କୁ ଭାରତକୁ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି କେନ୍ଦ୍ର ସରକାର ପ୍ରଥମ ଅନୁରୋଧ ପତ୍ର ପଠାଇଥିଲେ। ଏହାପରେ ତାଙ୍କ ପ୍ରତ୍ୟର୍ପଣ ମାମଲାର ବିଚାର ୨୦୧୭ ଡିସେମ୍ବରରୁ ଆରମ୍ଭ ହୋଇଥିଲା। ଭାରତ ପକ୍ଷରୁ ଅନୁରୋଧ ପତ୍ର ପଠାଯିବାର ୨ ବର୍ଷ ପରେ ବ୍ରିଟେନ ଗୃହମନ୍ତ୍ରୀ ମାଲ୍ୟାଙ୍କ ପ୍ରତ୍ୟର୍ପଣ ରାୟକୁ ସବୁଜ ସଙ୍କେତ ଦେଇଛନ୍ତି। ବ୍ରିଟେନ ସରକାରଙ୍କ ନିଷ୍ପତ୍ତିକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ବାଗତ କରିଛି। ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ଆଇନଗତ ପ୍ରକ୍ରିୟା ଶୀଘ୍ର ଶେଷ ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଆଶା ରଖିଛି। ମାଲ୍ୟା ତାଙ୍କର କିଙ୍ଗ୍‌ଫିସର ଏୟାରଲାଇନ୍ସ ପାଇଁ ନେଇଥିବା ଋଣ ପରିଶୋଧ ନକରି ଗତ ୨୦୧୬ ମାର୍ଚ ୨ ତାରିଖରୁ ଲଣ୍ଡନ ପଳାଇଛନ୍ତି। ଲଣ୍ଡନରୁ ତାଙ୍କୁ ଆଣିବା ଲାଗି ଭାରତ ସରକାର ଆଇନଗତ ଲଢ଼େଇ ଜାରି ରଖିଛନ୍ତି। ମାଲ୍ୟାଙ୍କଠାରୁ ଭାରତୀୟ ବ୍ୟାଙ୍କଗୁଡ଼ିକ ସୁଧ ଓ ମୂଳ ମିଶି ୯ ହଜାର କୋଟି ଟଙ୍କାରୁ ଅଧିକ ପାଇବେ ବୋଲି ଦାବି କରୁଛନ୍ତି। ମୁମ୍ବାଇର ଏକ ଅଦାଲତ ନିକଟରେ ନୂଆ ପଳାତକ ଅର୍ଥନୈତିକ ଅପରାଧୀ ଆଇନ ଅନୁଯାୟୀ ମାଲ୍ୟାଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରିଛନ୍ତି। ଏଭଳି ଅପରାଧୀ ହେବାରେ ମାଲ୍ୟା ଦେଶର ପ୍ରଥମ ବ୍ୟକ୍ତି।

ସମ୍ବନ୍ଧିତ ଖବର