ବ୍ୟାଙ୍କମାନେ ନିୟମ ଭାଙ୍ଗି ବିଜୟ ମାଲ୍ୟାଙ୍କୁ ଋଣ ଦେଇଛନ୍ତି : ଲଣ୍ଡନ କୋର୍ଟ

ଲଣ୍ଡନ : ଯାହା ଜଣାପଡୁଛି ଭାରତୀୟ ବ୍ୟାଙ୍କଗୁଡ଼ିକର ଦୁର୍ଗତି ପାଇଁ ନିଜେ ବ୍ୟାଙ୍କମାନେ ହିଁ ଦାୟୀ । ନିରବ ମୋଦି ମାମଲାରେ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଧରାପଡିବା ପରେ ଏବେ ବିଜୟ ମାଲ୍ୟା ମାମଲାରେ ମଧ୍ୟ ବ୍ୟାଙ୍କ କର୍ମଚାରୀମାନଙ୍କୁ ଦାୟୀ କରିଛନ୍ତି ଲଣ୍ଡନର ଏକ କୋର୍ଟ।

ଲଣ୍ଡନର େଓ୍ଵଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ପଳାତକ ଭାରତୀୟ ଶିଳ୍ପପତି ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଚାଲିଛି । ମାମଲାର ଶୁଣାଣି ବେଳେ ବ୍ରିଟିଶ ଜଜ୍‌ ଏମା ଅରବନଟନ ଏପରି ଏକ କଥା କହିଛନ୍ତି, ଯାହାକି ଭାରତ ସରକାରଙ୍କ ଚିନ୍ତାକୁ ବଢାଇଦେଇଛି । ଜଜ କହିଛନ୍ତି ଯେ ମାଲ୍ୟା ଏତେ ବିପୁଳ ପରିମାଣର ଋଣ ନେଇ ନ ଶୁଝିବା ତ ଏକ ଅପରାଧ ନିଶ୍ଚିୟ । କିନ୍ତୁ ପ୍ରଥମରୁ ଜଣାପଡୁଛି ଯେ ଭାରତୀୟ ବ୍ୟାଙ୍କମାନେ ନିଜ ଆଇନ ଭାଙ୍ଗି ମାଲ୍ୟାଙ୍କୁ ଋଣ ଦେଇଛନ୍ତି ।

ସେ କହିଛନ୍ତି ଯେ ଆଖି ବୁଜି ଏହା କୁହାଯାଇପାରିବ ଯେ ଭାରତୀୟ ବ୍ୟାଙ୍କମାନେ ନିୟମ ଭାଙ୍ଗି ଋଣ ଦେଇଛନ୍ତି । ଏହା ସହିତ ଏହି ମାମଲା ସହ ସଂପୃକ୍ତ ବ୍ୟାଙ୍କ ଅଧିକାରୀଙ୍କ କାର୍ଯ୍ୟକଳାପ ସଂପର୍କରେ ବୁଝାଇବାକୁ ସେ ଭାରତୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ବିଜୟ ମାଲ୍ୟାଙ୍କ କମ୍ପାନି କିଙ୍ଗଫିସର ଏୟାରଲାଇନ୍ସ ନାମରେ ୯ ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ବ୍ୟାଙ୍କ ଋଣ ଥିବାବେଳେ ସେ ତାହାକୁ ନ ଶୁଝି ଗତ ବର୍ଷ ବିଦେଶ ପଳାୟନ କରିଛନ୍ତି । ନିକଟରେ ତାଙ୍କର ଏକ ବିଳାସମୟ ଜାହଜ (ସୁପରୟଚ୍‌)କୁ ଦକ୍ଷିଣ ୟୁରୋପୀୟ ଦ୍ୱୀପରାଷ୍ଟ୍ର ମାଲଟାରେ ଜବତ କରାଯାଇଥିଲା । ଏଥିରେ କାମ କରୁଥିବା ୪୦ ଜଣ କର୍ମଚାରୀଙ୍କୁ ବିଗତ ଅନେକ ମାସ ଧରି ଦରମା ଦିଆଯାଇନଥିବାରୁ ଲଣ୍ଡନ ଭିତ୍ତିକ ଏକ ସାମୁଦ୍ରିକ ଟ୍ରେଡ ୟୁନିୟନ ପକ୍ଷରୁ ଏହାକୁ ଜବତ କରାଯାଇଛି ।

ସମ୍ବନ୍ଧିତ ଖବର