କୋଭାକ୍ସିନ ସମେତ ‘ହୁ’ ଅନୁମୋଦିତ ସବୁ ଟାକାକୁ ସ୍ବୀକୃତି ଦେବ ବ୍ରିଟେନ

ଲଣ୍ଡନ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ( ହୁ) ଦ୍ବାରା ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରାପ୍ତ ସବୁ କରୋନା ଟିକାକୁ ବ୍ରିଟେନ ସ୍ବୀକୃତି ଦେବ । ଏସବୁ ଟିକା ନେଇଥିବା ଲୋକମାନେ ଆସନ୍ତା ୨୨ ତାରିଖ ଭୋର ୪ଟାରୁ ବ୍ରିଟେନରେ ପ୍ରବେଶ କରିପାରିବେ । ସେମାନଙ୍କ ପାଇଁ ପୂର୍ବରୁ ଲାଗୁ କ୍ବାରାଣ୍ଟାଇନ ନିୟମ ଲାଗୁ ହେବ ନାହିଁ ବୋଲି ବ୍ରିଟେନ ସରକାର ସ୍ପଷ୍ଟ କରିଦେଇଛନ୍ତି ।

ବ୍ରିଟିଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ ୧୮ ବର୍ଷରୁ କମ ବୟସର ପିଲାମାନେ ଯଦି ଉଭୟ ଡୋଜ୍ ଟିକା ନେଇଥିବେ ତେବେ ସେମାନେ ବି ବ୍ରିଟେନକୁ ଆସିପାରିବେ ଓ ସେମାନଙ୍କ ପାଇଁ ପୂର୍ବରୁ ଲାଗୁ କ୍ବାରାଣ୍ଟାଇନ ନିୟମ ଲାଗୁ ହେବ ନାହିଁ ।

ଗତ ୩ ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭାରତୀୟ ସ୍ବଦେଶୀ ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିଥିଲା । ତା’ ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୫ଟି କରୋନା ଟିକା ଫାଇଜର ବାୟୋଏନଟେକ୍, ମଡର୍ଣ୍ଣା, ଜନସନ ଏଣ୍ଡ ଜନସନ, ଆଷ୍ଟ୍ରାଜେନିକା, ଚୀନର ସିନୋଫାର୍ମକୁ ଜରୁରୀକାଳୀନ  ବ୍ୟବହାର ଅନୁମତି ପ୍ରଦାନ କରିଥିଲା । ଫଳରେ ଏସବୁ ଟିକା ନେଇଥିବା ଲୋକମାନେ ବ୍ରିଟେନର ଏହି ନୂଆ ନିୟମ ଯୋଗୁଁ ଉପକୃତ ହେବେ ।

ଗତ ଅକ୍ଟୋବର ମାସରେ ବ୍ରିଟିଶ ସରକାର ଘୋଷଣା କରିଥିବା କ୍ବାରାଣ୍ଟାଇନ ନିୟମକୁ ଭାରତ ସମେତ ବିଭିନ୍ନ ଦେଶ ପ୍ରବଳ ବିରୋଧ କରିଥିଲେ ।

ସମ୍ବନ୍ଧିତ ଖବର