ଭାରତୀୟ ଯୁବକଙ୍କୁ ବିଭା ହେବା ପାଇଁ ମାଞ୍ଚେଷ୍ଟର୍‌ରୁ ଆଗ୍ରାକୁ ଆସିଲେ ବ୍ରିଟିସ୍‌ ନର୍ସ

ଆଗ୍ରା: ୩ ବର୍ଷ ଧରି ଅନ୍‌ଲାଇନ୍‌ରେ‘ ଡେଟିଙ୍ଗ୍‌’ କରିବା ପରେ ହାନ୍ନା ହାୱିଟ୍‌ ନାମ୍ନୀ ଜଣେ ୨୬ ବର୍ଷୀୟ ବ୍ରିଟିସ୍‌ ନର୍ସ ଭାରତକୁ ଆସି ଆଗ୍ରାର ୨୮ ବର୍ଷିୟ ପାଲେନ୍ଦ୍ର ସିଂହଙ୍କୁ ବିବାହ କରିଛନ୍ତି। ଶନିବାର ରାତିରେ ଗ‌େଡ଼େ କା ନାଗ୍‌ଲା ଗ୍ରାମସ୍ଥିତ ଶବିଶକ୍ତି ମନ୍ଦିରରେ ଦୁହିଁଙ୍କର ବିବାହ ଅନୁଷ୍ଠାନ ସମ୍ପନ୍ନ ହୋଇଛି।

ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ସମୟରେ ପାଲେନ୍ଦ୍ରଙ୍କ ଅଧ୍ୟାତ୍ମିକ ‘ପଡ୍‌କାଷ୍ଟ୍‌’ଦ୍ବାରା ଖୁବ୍‌ ଅନୁପ୍ରାଣିତ ହୋଇ ହାନ୍ନା ତାଙ୍କୁ ପ୍ରେମ କରିଥିଲେ।

ପାରମ୍ପିରିକ ରୀତିମତେ ସ୍ଥାନୀୟ ବାସିନ୍ଦାଙ୍କୁ ଉପସ୍ଥିତିରେ ମାଞ୍ଚେଷ୍ଟର୍‌ରୁ ଆଗ୍ରା ଆସିଥିବା ହାନ୍ନାଙ୍କର ବିବାହ ହୋଇଥିଲା। ଏବେ ସେ ଭାରତରେ ବସବାସ କରିବାକୁ ଆଗ୍ରହୀ। କୃଷକ ପରିବାରରେ ଜନ୍ମିଥିବା ପାଲେନ୍ଦ୍ର ସମ୍ପ୍ରତି ଗୋଟାଏ ଘରୋଇ କମ୍ପାନିରେ ମାର୍କେଟିଙ୍ଗ୍‌ ମ୍ୟାନେଜର୍‌ ରୂପେ କାର୍ଯ୍ୟ କରୁଛନ୍ତି।

ସେମାନଙ୍କ ବିବାହ କରାଇଥିବା ପୁରୋହିତ ବିବେକାନନ୍ଦ ଗିରି କହିଛନ୍ତି, ବରକନ୍ୟାଙ୍କ ପାରସ୍ପରିକ ସମ୍ମତିକ୍ରମେ ବୈଦିକ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଛି। ପାରମ୍ପରିକ ପରିଧେୟ ପରିଧାନ କରିଥିବା କନ୍ୟା ସମୁଦାୟ ବିବାହ ଅନୁଷ୍ଠାନର ରୀତିନୀତି ପ୍ରତି ଖୁବ୍‌ ଆଗ୍ରହୀ ଥିଲେ।

Image Courtesy of Amar Ujala

ଭାରତୀୟ ସଂସ୍କୃତିଦ୍ବାରା ଅନୁପ୍ରାଣିତ ହାନ୍ନା କହିଛନ୍ତି, ଅଧ୍ୟାତ୍ମିକତାରେ ଆଗ୍ରହ ଥିବା କାରଣରୁ ଆମର ସମ୍ପର୍କ ଆରମ୍ଭ ହୋଇଥିଲା। ପାଲେନ୍ଦ୍ରଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେବାରେ ମୋ ପରିବାର ଲୋକେ ମତେ ସାହାଯ୍ୟ କରିଛନ୍ତି। ଏବେ ମୁଁ ହିନ୍ଦି ଶିଖିବା ଓ ଭାରତୀୟ ଜୀବନଯାପନ ଧାରା ଆପଣାଇବାକୁ ‌ଚେଷ୍ଟା କରୁଛି।

ବୋହୂଙ୍କ ବିଷୟରେ କହିବାକୁ ଯାଇ ଶାଶୂ ସୁଭଦ୍ରା ଦେବୀ କହିଛନ୍ତି, ହାନ୍ନାଙ୍କୁ ପରିବାରର ସଦସ୍ୟରୂପେ ପାଇ ଆମେ ଆନନ୍ଦିତ। ପ୍ରେମ କରୁଥିବା ଝିଅକୁ ମ‌ୋ ପୁଅ ବିଭା ହୋଇଛି। ହାନ୍ନା ଆମ ଘରକୁ ଅଶେଷ ସୁଖ ଆଣିଛି। ସେ ହିନ୍ଦୀ ଜାଣିନାହିଁ, କିନ୍ତୁ ଆମର ଭାବନା ହୃଦୟଙ୍ଗମ କରିପାରୁଛି।

ସମ୍ବନ୍ଧିତ ଖବର