ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଇଣ୍ଟେନସିଭ୍ କେୟାର୍ ୟୁନିଟରୁ ବାହାରିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ‌ବୋରିସ୍ ଜନସନ୍

ଲଣ୍ଡନ୍: କରୋନାଭାଇରସ୍ ଆକ୍ରାନ୍ତ ହୋଇ ଲଣ୍ଡନର ସେଣ୍ଟ୍ ଟୋମାସ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ଗୁରୁବାର ଦିନ ଇଣ୍ଟେନସିଭ୍ କେୟାର୍ ୟୁନିଟରୁ ବାହାରକୁ ଅଣାଯାଇଛି। କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ସଙ୍କଟଜନକ ସ୍ଥିତିରେ ପହଞ୍ଚିଥିବା ବୋରିସଙ୍କୁ ଗତ ସୋମବାର ଠାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଜନସନଙ୍କ ଅଫିସ ସୂତ୍ରରୁ ପ୍ରକାଶ ଯେ ଗତ ସନ୍ଧ୍ୟାରେ ତାଙ୍କୁ ଇଣ୍ଟେନସିଭ୍ କେୟାର୍ ୟୁନିଟରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି। ଏବେ ସେ ଆରୋଗ୍ୟ ହେବାର ପ୍ରାଥମିକ ପର୍ଯ୍ୟାୟରେ ଥିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତି ଅଧିକ ଧ୍ୟାନ ଦିଆଯିବ।

ଜନସନଙ୍କ ମାନସିକ ଅବସ୍ଥା ଅତ୍ୟନ୍ତ ଭଲ ଥିବା କଥା କୁହାଯାଉଛି।

Image Courtesy of The Times of Israel

ଦୁଇ ସପ୍ତାହ ତଳେ ବ୍ରିଟେନର ପ୍ରଧାନମନ୍ତ୍ରୀ ଜନସନ୍ କରୋନାଭାଇରସ୍ ଆକ୍ରାନ୍ତ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା। ସେତେବେଳେ ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା। ରବିବାର ଦିନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ଦିନକ ପରେ ଆଇସିୟୁକୁ ନିଆଯାଇଥିଲା।

ଦିନେ ଦୁଇ ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି। ଗୁରୁତ୍ବପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଯୋଗ ଦେଉଥିବା ବୈଦେଶିକ ସଚିବ ଡୋମିନିକ୍ ରାବ୍ ଗୁରୁବାର ଦିନ କହିଥିଲେ ଯେ ଜନସନ୍‌ ସୁସ୍ଥ ହେବାକୁ ଯାଉଛନ୍ତି।

ତାଙ୍କ ସୁସ୍ଥ ହେବା ଖବରକୁ ଇଂଲଣ୍ଡର ରାଜନୈତିକ ମହଲ ସ୍ବାଗତ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ମଧ୍ୟ ଟୁଇଟ୍ କରି ଲେଖିଛନ୍ତି: ସୁସମ୍ବାଦ: ଏଇମାତ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଇଣ୍ଟେନସିଭ୍ କେୟାରରୁ ବାହାରିଛନ୍ତି। ଭଲ ହୋଇଯାଅ ବୋରିସ୍!!!

ସମ୍ବନ୍ଧିତ ଖବର