କିବ୍: ଅକସ୍ମାତ୍ ଯୁଦ୍ଧ-ବିକ୍ଷତ ୟୁକ୍ରେନ୍ ଗସ୍ତ କରି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ସହ ଜନଶୂନ୍ୟ କିବ୍ ରାସ୍ତାରେ ଚାଲି ଚାଲି ଯାଇଥିବା ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କୁ ଭୂୟସୀ ପ୍ରଶଂସା କରାଯାଉଛି।
ୟୁକ୍ରେନୀୟ ସରକାର ସେୟାର୍ କରିଥିବା ୨ ମିନିଟ୍ରୁ ସାମାନ୍ୟ ଅଧିକ ଭିଡିଓରେ ଦେଖାଯାଉଛି, ସ୍ନାଇପର୍ ଏବଂ ଅନ୍ୟାନ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଦୁଇ ନେତା ବହୁଳାଂଶରେ ଜନମାନବ ଶୂନ୍ୟ କିବ୍ ନଗରୀ କେନ୍ଦ୍ରାଞ୍ଚଳରେ ବାଟ ଚାଲୁଛନ୍ତି।
ମେଡେନ୍ ସ୍କ୍ବାୟାର୍କୁ ପଡ଼ିଥିବା କିବ୍ର ମୁଖ୍ୟ କ୍ରେସ୍ଚାତିକ୍ ରାସ୍ତାରେ ଦୁଇ ନେତା କେତେକ ପଥଚାରୀଙ୍କୁ ଅଭିବାଦନ ଜଣାଇଥିଲେ।
because they bloody can pic.twitter.com/FaTUt0lvP6
— Ukraine / Україна (@Ukraine) April 9, 2022
ବ୍ରିଟିସ୍ ପ୍ରଧାନମନ୍ତ୍ରୀଙ୍କୁ ଦେଖି ଅଭିଭୂତ ହୋଇ ପଡ଼ିଥିବା ପରି ମନେହେଉଥିବା ଜଣେ ପଥଚାରୀ କହୁଛନ୍ତି, ଆମେ ଆପଣଙ୍କୁ ଲୋଡୁଛୁ। ଏ କଥା ଶୁଣି ଜନ୍ସନ୍ କହିଲେ, ଆପଣଙ୍କୁ ଭେଟି ଆନନ୍ଦିତ। ସାହାଯ୍ୟ କରିବାକୁ ଆମେ ସୁଯୋଗ ପାଇଛୁ। ଆପଣମାନେ ଜେଲେନ୍ସ୍କିଙ୍କ ପରି ଜଣେ ଅସାଧାରଣ ରାଷ୍ଟ୍ରପତି ପାଇଛନ୍ତି।
/sambad/media/post_attachments/wp-content/uploads/2022/04/bz1-1.jpg)
ଫେବ୍ରୁଆରି ୨୪ ତାରିଖ ଠାରୁ ରୁଷ୍ ଆକ୍ରମଣ ଆରମ୍ଭ କରିବା ପରଠାରୁ ଅଘୋଷିତ ୟୁକ୍ରେନ୍ ଗସ୍ତ କରିବାରେ ଜନ୍ସନ୍ ହେଉଛନ୍ତି ପ୍ରଥମ ‘ଜି୭’ ନେତା। ୧୨୦ଟି ଯୁଦ୍ଧ ଯାନ ଏବଂ ନୂଆ ଆଣ୍ଟି-ସିପ୍ ମିସାଇଲ୍ ସିଷ୍ଟମ୍ ଭଳି ୧୦୦ ନିୟୁତ ପାଉଣ୍ଡ୍ର ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଜନ୍ସନ୍ ୟୁକ୍ରେନ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାଛଡ଼ା, ବିଶ୍ବବ୍ୟାଙ୍କ୍ରୁ ଅତିରିକ୍ତ ୫୦୦ ନିୟୁତ ଡଲାର୍ ଋଣକରାଇ ଦେବାକୁ ମଧ୍ୟ ସେ ଭରଷା ଦେଇଛନ୍ତି। ଏହାକୁ ମିଶାଇ ୟୁକ୍ରେନ୍ ପ୍ରତି ଇଂଲଣ୍ଡ୍ ୧ ବିଲିୟନ୍ ପର୍ଯ୍ୟନ୍ତ ଋଣ ଗ୍ୟାରେଣ୍ଟି ଦେଲାଣି।