ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ପୁନର୍ବାର ସାମିଲ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍। ଏହି ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ମଧ୍ୟ ରହିଛନ୍ତି। ତେବେ ଅନ୍ୟତମ ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟେନର ପୂର୍ବତନ ଗୃହମନ୍ତ୍ରୀ ପ୍ରୀତି ପଟେଲ ସୁନକଙ୍କ ପରିବର୍ତ୍ତେ ବୋରିସ୍ଙ୍କ ପ୍ରାର୍ଥିତ୍ବ ପଛରେ ଛିଡ଼ା ହୋଇଛନ୍ତି। ୧୦ ଡାଉନିଂ ଷ୍ଟ୍ରିଟ୍ରେ ଲିଜ୍ ଷ୍ଟ୍ରସଙ୍କ ଜାଗାରେ ବସିବା ପାଇଁ ବୋରିସ୍ ଜନସନ ହିଁ ସବୁଠୁ ଉତ୍ତମ ପ୍ରାର୍ଥୀ ବୋଲି ପ୍ରୀତି କହିଛନ୍ତି। ଅନ୍ୟପକ୍ଷରେ ତୃତୀୟ ପାର୍ଥୀ ଭାବେ ଚର୍ଚ୍ଚାକୁ ଆସିଥିବା ପେନି ମୋର୍ଡେଣ୍ଟଙ୍କ ପ୍ରତି ବିଶେଷ ସମର୍ଥନ ଦେଖିବାକୁ ମିଳୁନାହିଁ। ଶୀର୍ଷ ନେତୃତ୍ବ ପାଇଁ ପୂର୍ବରୁ ଯେତେବେଳେ ଲିଜ୍ ଟ୍ରସ୍ ଓ ଋଷି ସୁନକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା ସେତେବେଳେ ଭାରତୀୟ ବଂଶୋଦ୍ଭବ ପ୍ରୀତି ନିରବ ରହିଥିଲେ। ଏବେ ସେ ବୋରିସ୍ଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ୫୦ ବର୍ଷୀୟା ପ୍ରୀତି ସାମାଜିକ ଗଣମାଧ୍ୟମରେ ଟ୍ବିଟ୍ କରି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଟ୍ରାକ୍ ରେକର୍ଡ ଭଲ ରହିଛି। ବଡ଼ ବଡ଼ ନିଷ୍ପତ୍ତିକୁ ସେ ଠିକ୍ ପ୍ରମାଣିତ କରିଛନ୍ତି। ତେଣୁ ନେତୃତ୍ବ ପାଇଁ ତାଙ୍କ ପ୍ରତିଯୋଗିତାକୁ ସେ ସମର୍ଥନ କରୁଛନ୍ତି ବୋଲି ପ୍ରୀତି କହିଛନ୍ତି।
ଅନ୍ୟପକ୍ଷରେ କାରବୀୟ ଦେଶରେ ଛୁଟି କଟାଇ ୫୮ ବର୍ଷୀୟ ବୋରିସ୍ ବ୍ରିଟେନକୁ ଫେରିବା ସହ ସମର୍ଥକମାନଙ୍କୁ ନେଇ ରଣନୀତିକ ବୈଠକ କରିଛନ୍ତି।
ସୂଚନାଯୋଗ୍ୟ, ବୋରିସଙ୍କ ନାମରେ ଏକାଧିକ ସ୍କାଣ୍ଡାଲ ଅଭିଯୋଗ ଆସିବା ପରେ ୬ ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବେ ବୋରିସଙ୍କୁ ସମର୍ଥନ କରୁଥିବା ସାଂସଦଙ୍କ ସଂଖ୍ୟା ପାଖାପାଖି ୪୬ ରହିଛି। ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ଚୟନ ହେବାକୁ ହେଲେ ସୋମବାର ୨ଟା ସୁଦ୍ଧା ଅତିକମ୍ରେ ୧୦୦ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଯଦି କୌଣସି ନେତା ସେହି ସମୟ ସୁଦ୍ଧା ଏହି ସଂଖ୍ୟକ ସାଂସଦଙ୍କ ସମର୍ଥନ ହାସଲ କରନ୍ତି ତାହେଲେ ଆସନ୍ତା ସପ୍ତାହରେ ବ୍ରିଟେନକୁ ନୂଆ ପ୍ରଧାନମନ୍ତ୍ରୀ ମିଳିଯିବେ। ଯଦି ଚୟନ ହୋଇଥିବା ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ହୁଏ ତାହେଲେ କଞ୍ଜରଭେଟିଭ ଦଳର ୧,୭୦,୦୦୦ ଭୋଟର ଅନଲାଇନ ମାଧ୍ୟମରେ ଶୁକ୍ରବାର ସୁଦ୍ଧା ନୂଆ ନେତା ବାଛିବେ।