ବ୍ରିଟିସ ପ୍ରଧାନମନ୍ତ୍ରୀ ଚୟନ : ଋଷି ସୁନକ-ଲିଜ୍ ଟ୍ରସଙ୍କ ମଧ୍ୟରେ ହେବ ଚୂଡ଼ାନ୍ତ ମୁକାବିଲା

ଲଣ୍ଡନ : ଚୂ଼ଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି  ବ୍ରିଟିଶ ପ୍ରଧାନମନ୍ତ୍ରୀ ଚୟନ ପ୍ରକ୍ରିୟା । ଚୂଡ଼ାନ୍ତ ପର୍ଯ୍ୟାୟରେ ଆଉ ମାତ୍ର ୨ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନେ ହେଲେ ପୂର୍ବତନ ବ୍ରିଟିଶ ଅର୍ଥମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଓ ବୈଦେଶିକ ସଚିବ ଲିଜ୍ ଟ୍ରସ୍ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣକୁ ବ୍ରିଟିଶ ପ୍ରଧାନମନ୍ତ୍ରୀଭାବେ ବାଛିବେ କଂଜରଭେଟିଭ ଦଳର ସାଂସଦ ।

ଆସନ୍ତା ସୋମବାର ଦିନ ଉଭୟ ପ୍ରାର୍ଥୀ ଏକ ବିତର୍କରେ ପରସ୍ପରର ସମ୍ମୁଖୀନ ହେବେ । ଏହାକୁ ଟେଲିଭିଜନରେ ପ୍ରସାରଣ କରାଯିବ ।

ଆଜି ଅନୁଷ୍ଠିତ ୫ମ ପର୍ଯ୍ୟାୟ ଭୋଟିଂ ରାଉଣ୍ଡରେ ମଧ୍ୟ ସୁନକ ସର୍ବାଧିକ ଭୋଟ ପାଇଥିଲେ । ତାଙ୍କୁ ୧୩୭ ଜଣ ସାଂସଦଙ୍କ ଭୋଟ ମିଳିଥିବାବେଳେ ଟ୍ରସଙ୍କୁ ୧୧୩ ଜଣ ସାଂସଦଙ୍କ ଭୋଟ ମିଳିଥିଲା । ବାଣିଜ୍ୟ ମନ୍ତ୍ରୀ ପେନି ମୋରଡଣ୍ଟ ୧୦୫ଟି ଭୋଟ ପାଇବା ପରେ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାଦ ପଡ଼ିଥିଲେ ।

ମଙ୍ଗଳବାର ଅନୁଷ୍ଠିତ ୪ର୍ଥ ରାଉଣ୍ଡରେ ସୁନକ ୧୧୮ଟି ଭୋଟ ପାଇଥିବାବେଳେ ବାଣିଜ୍ୟ ମନ୍ତ୍ରୀ ପେନି ମୋରଡଣ୍ଟଙ୍କୁ ୯୨ଟି ଭୋଟ ପାଇଥିଲେ  । ବୈଦେଶିକ ମନ୍ତ୍ରୀ ଲିଜ୍ ଟ୍ରସଙ୍କୁ ୮୬ଟି ଭୋଟ ମିଳିଥିଲା । ଏହି ରାଉଣ୍ଡରେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ଆଉଜଣେ ପ୍ରାର୍ଥୀ କେମି ବେଡେନକ ବାଦ ପଡ଼ିଥିଲେ ।

ପୂର୍ବ ୩ଟି ରାଉଣ୍ଡରେ ବି ସୁନକ ସବୁଠାରୁ ଅଧିକ ଭୋଟ ପାଇ ଆଗୁଆ ରହିଥିଲେ । ସୂଚନାଯୋଗ୍ୟ ଯେ, ଋଷି ସୁନକଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା, ପରେ ସେମାନେ ବ୍ରିଟେନରେ ବସବାସ କରିଥିଲେ । ଋଷିଙ୍କ ଆଉ ଏକ ପରିଚୟ ହେଉଛି ସେ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜାମାତା ।

 

 

ସମ୍ବନ୍ଧିତ ଖବର