ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ନିର୍ବାଚନ: ଫଳାଫଳ ଆଜି

ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ‌ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆଜି (ସୋମବାର) ଘୋଷଣା ହେବ। ବୋରିସ ଜନସନଙ୍କ ଉତ୍ତରାଧିକାରୀ ଦୌଡ଼ରେ ରହିଥିବା ଦୁଇ ପ୍ରତିଦ୍ବନ୍ଦ୍ବୀ ଋଶି ସୁନକ ଓ ଲିଜ ଟ୍ରସଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଛି । ଫଳାଫଳ ପୂର୍ବରୁ ଆସିଥିବା ସମସ୍ତ ସର୍ଭେରେ ଋଷି ସୁନକଙ୍କଠାରୁ ଲିଜ୍‌ ଟ୍ରସ୍‌ ଆଗରେ ଅଛନ୍ତି। ତେବେ ଆଜି ଅପରାହ୍ନରେ ଏହି ଉତ୍କଣ୍ଠାର ଅବସାନ ଘଟିବ। କଞ୍ଜରଭେଟିଭ୍ ପାର୍ଟି ନିଜର ତଥା ଦେଶର ନେତା ବାଛିବା ପାଇଁ ଆଭ୍ୟନ୍ତରୀଣ ନିର୍ବାଚନର ଫଳାଫଳ ଘୋଷଣା କରିବା ନିମନ୍ତେ ସବୁ ପ୍ରସ୍ତୁତି ଶେଷ କରିଛି।

ଶୁକ୍ରବାର ଦଳର ପ୍ରାୟ ୧.୬ ଲକ୍ଷ ସଦସ୍ୟଙ୍କଠାରୁ ଭୋଟ ଗ୍ରହଣ ଶେଷ ହୋଇଥିଲା। ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କଠାରୁ କ୍ଷମତା ହସ୍ତାନ୍ତର ଲଣ୍ଡନର ବକିଂହାମ ପ୍ୟାଲେସ ବଦଳରେ ସ୍କଟଲାଣ୍ଡର ବାଲମୋରାଲ କ୍ୟାସଲରେ ଅନୁଷ୍ଠିତ ହେବ। ରାଣୀ ଏଲିଜାବେଥ-ଦ୍ବିତୀୟ ବର୍ତ୍ତମାନ ସ୍କଟଲାଣ୍ଡରେ ତାଙ୍କର ଗ୍ରୀଷ୍ମ ଛୁଟି କଟାଉଥିବାରୁ ପାରମ୍ପରିକ ନିୟମରେ ଏହି ପରିବର୍ତ୍ତନ ହେବ। ପ୍ରଥମେ ଜନସନ ମଙ୍ଗଳବାର ଲଣ୍ଡନର ୧୦, ଡାଉନିଂ ଷ୍ଟ୍ରିଟରେ ଏକ ବିବୃତି ଜାରି କରିବେ। ତା’ପରେ ସେ ସ୍କଟଲାଣ୍ଡ ଯାଇ ରାଣୀଙ୍କୁ ତାଙ୍କର ଇସ୍ତଫା ଦେବା କଥା ଅବଗତ କରାଇବେ। ଏହାପରେ ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ରାଣୀଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଅନୁମତି ଲୋଡ଼ିବେ।

ସମ୍ବନ୍ଧିତ ଖବର