ମୁମ୍ବାଇ: ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର୍ ଷ୍ଟାର୍ମର ଦୁଇ ଦିନିଆ ଭାରତ ଗସ୍ତରେ ଆସି ଆଜି ମୁମ୍ବାଇ ପହଞ୍ଚିଛନ୍ତି। ଭାରତ-ବ୍ରିଟେନ ମଧ୍ୟରେ ଏକ ବିସ୍ତୃତ ରଣନୀତିକ ଓ ବାଣିଜ୍ୟିକ ସହଭାଗୀତାକୁ ନୂଆ ଉଚ୍ଚତାକୁ ନେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଷ୍ଟାର୍ମର କହିଛନ୍ତି। ଏହି ଗସ୍ତ ‘ଭିଜନ୍ ୨୦୩୫’ ରୋଡ୍ମ୍ୟାପ୍ ଅଧୀନରେ ବାଣିଜ୍ୟ, ବିନିଯୋଗ, ଟେକ୍ନୋଲୋଜି, ପ୍ରତିରକ୍ଷା, ଜଳବାୟୁ, ସ୍ୱାସ୍ଥ୍ୟ ଓ ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ, ଜୁଲାଇ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ରିଟେନ ଗସ୍ତ ସମୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍ଟିଏ) ଚୂଡ଼ାନ୍ତ ହୋଇଥିଲା, ଯାହା ଟେକ୍ସଟାଇଲ୍, ହ୍ୱିସ୍କି ଓ କାର୍ ଭଳି ସାମଗ୍ରୀରେ ଶୁଳ୍କ ହ୍ରାସ କରିଛି। ଏହା ୨୦୪୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୫.୫ ବିଲିୟନ ପାଉଣ୍ଡ (ପ୍ରାୟ ୩୪ ବିଲିୟନ ଡଲାର) ବୃଦ୍ଧି କରିବ ବୋଲି ଆକଳନ କରାଯାଇଛି।
ଭାରତ-ବ୍ରିଟେନ ବାଣିଜ୍ୟିକ ସଂପର୍କରେ ନୂଆ ଅଧ୍ୟାୟ
ମୋଦୀଙ୍କ ସହ ଦ୍ବିପାକ୍ଷିକ ବୈଠକ ଆଜି
ମୁମ୍ବାଇରେ ଆଜି ପହଞ୍ଚିବା ପରେ ଷ୍ଟାର୍ମରଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସେ ପ୍ରମୁଖ ବ୍ୟବସାୟୀଙ୍କୁ ସମ୍ବୋଧିତ କରି ଭାରତରେ ଅର୍ଥନୈତିକ ବୃଦ୍ଧି ବ୍ରିଟେନରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ। ମୁମ୍ବାଇର ଫିଲ୍ମ ସିଟିରେ ଯଶରାଜ ଫିଲ୍ମସ (ୱାଇଆର୍ଏଫ୍) ଷ୍ଟୁଡିଓ ପରିଦର୍ଶନ କରି ସେ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଓ ୱାଇଆର୍ଏଫ୍ ସିଇଓ ଅକ୍ଷୟ ୱିଧାନୀଙ୍କ ସହ ଏକ ଚଳଚ୍ଚିତ୍ର ପ୍ରଦର୍ଶନୀ ଦେଖିଥିଲେ। ୱାଇଆର୍ଏଫ୍ ଘୋଷଣା କରିଛି ଯେ ୨୦୨୬ରୁ ବ୍ରିଟେନରେ ତିନୋଟି ଚଳଚ୍ଚିତ୍ର ସୁଟିଂ ହେବ, ଯାହା ୩,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ। ଷ୍ଟାର୍ମର ଏକ ଯୁବ ଫୁଟ୍ବଲ୍ ପ୍ରଶିକ୍ଷଣ କେନ୍ଦ୍ର ଓ ଇଂଲିସ ପ୍ରିମିୟର ଲିଗ୍ ଟ୍ରଫି ମଧ୍ୟ ପରିଦର୍ଶନ କରିଥିଲେ। ଦୀପାବଳୀ ପୂର୍ବରୁ ଷ୍ଟାର୍ମର ଆଜି ମୁମ୍ବାଇରେ ପ୍ରଦୀପ ପ୍ରଜ୍ବଳନ କରି ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିଛନ୍ତି। ଆସନ୍ତାକାଲି ମୁମ୍ବାଇ ରାଜଭବନରେ ମୋଦୀ ଓ ଷ୍ଟାର୍ମରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ। ଉଭୟ ନେତା ‘ଭିଜନ୍ ୨୦୩୫’ର ଅଗ୍ରଗତି ସମୀକ୍ଷା କରିବେ ଏବଂ ମଧ୍ୟାହ୍ନରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ଅପରାହ୍ଣରେ ଭାରତ-ବ୍ରିଟେନ ଫିନ୍ଟେକ ସମ୍ମିଳନୀରେ ଅଂଶଗ୍ରହଣ କରିବେ।