ବ୍ରିଟେନର ଅଜବ ନୀତି: କୋଭିସିଲଡ୍ ଟିକାକୁ ମାନ୍ୟତା, ମାତ୍ର ଭାରତର ଟିକା ପ୍ରମାଣପତ୍ରକୁ ମାନ୍ୟତା ନାହିଁ

ଲଣ୍ଡନ : ଭାରତର ତୀବ୍ର ପ୍ରତିକ୍ରିୟା ପରେ ବ୍ରିଟିଶ ସରକାର ସାମାନ୍ୟ ନରମ ମନୋଭାବ ପୋଷଣ କରିଛନ୍ତି । ବ୍ରିଟେନ କୋଭିସିଲଡ୍ ଟିକାକୁ ମାନ୍ୟତା ପ୍ରଦାନ କରିଛି । ଏହା ସତ୍ତ୍ବେ ଭାରତର ଟିକା ପ୍ରମାଣପତ୍ରକୁ ମାନ୍ୟତା ଦେବାକୁ ବ୍ରିଟେନ ମନା କରିଦେଇଛି । ଫଳରେ ଦୁଇଟି କୋଭିସିଲଡ ଟିକା ନେଇଥିଲେ ବି ବ୍ରିଟେନ ଗଲେ ଭାରତୀୟଙ୍କୁ ୧୦-ଦିନ ପାଇଁ ଏକାନ୍ତବାସରେ ରହିବାକୁ ପଡ଼ିବ ।

ବ୍ରିଟେନ ସରକାରଙ୍କ ଓ୍ବେବସାଇଟରେ ଆଜି ଦିଆଯାଇଥିବା ସୂଚନା ଅନୁସାରେ ଆଷ୍ଟ୍ରାଜେନିକା-କୋଭିସିଲଡ୍, ଆଷ୍ଟ୍ରାଜେନିକା-ଭାକ୍ସଜେଭରିଆ ଓ ମଡର୍ଣ୍ଣା-ଟାକିଡା ଟିକାକୁ ମାନ୍ୟତାପ୍ରାପ୍ତ ଟିକା ତାଲିକାରେ ରଖାଯାଇଛି ।

ଗତ ସପ୍ତାହରେ ବ୍ରିଟେନ ପକ୍ଷରୁ ଜାରି ଗାଇଡଲାଇନରେ ଭାରତ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରାଜିଲ, ଋଷିଆ ପ୍ରଭୃତି ବିଭିନ୍ନ ବିକାଶଶୀଳ ଦେଶର ଲୋକମାନେ ଦୁଇଟି ମାତ୍ରା ଟିକା ନେଇଥିଲେ ବି ସେମାନଙ୍କୁ ବ୍ରିଟେନ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଏସବୁ ଦେଶର ଲୋକମାନେ ବ୍ରିଟେନରେ ପ୍ରବେଶ କରିବା ପୂର୍ବରୁ ୧୦ ଦିନିଆ ଏକାନ୍ତବାସ ବାଧ୍ୟତାମୂଳକ କରାଯାଇଥିଲା ।

ବ୍ରିଟେନର ଏହି ନିୟମାବଳୀକୁ ନେଇ ଭାରତ ସରକାର କୂଟନୈତିକ ସ୍ତରରେ ପ୍ରତିବାଦ କରିଥିଲେ । ବ୍ରିଟେନର ଏହା ଏକ ପକ୍ଷପାତପୂର୍ଣ୍ଣ ବ୍ୟବହାର ବୋଲି  ଭାରତର ବୈଦେଶିକ ସଚିବ ହର୍ଷ ସିଂଗଲା କହିଥିଲେ । ସେହିପରି କଂଗ୍ରେସ ନେତା ଶଶୀ ଥରୁର ଓ ଜୟରାମ ରମେଶ ମଧ୍ୟ ଏହାକୁ ବିରୋଧ କରିଥିଲେ ।

ସମ୍ବନ୍ଧିତ ଖବର