ନୂଆଦିଲ୍ଲୀ: କିଛି ଦିନ ତଳେ କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିବା ପରେ ଅଧା ରାସ୍ତାରେ ବ୍ରିଟେନ ଫେରନ୍ତା ମହିଳାଙ୍କୁ ପୁଲିସ ଟ୍ରେନରୁ ଓହ୍ଲାଇଦେବା ଘଟଣାକୁ ସାମ୍ନାକୁ ଆସିଥିଲା। ମହିଳାଜଣକ ବ୍ରିଟେନରୁ ଫେରି ନିଜ ପୁଅ ସହ ଟ୍ରେନ ଯୋଗେ ନିଜ ଘରକୁ ଯାଉଥିଲେ। ପରେ ତାଙ୍କୁ ଟ୍ରେନରୁ ଓହ୍ଲାଇ ଦିଆଯାଇ ସରକାରୀ ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ଏବେ ସରକାରୀ ସଙ୍ଗରୋଧରେ ଥିବା ମହିଳା କରୋନାର ନୂଆ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସ୍ବାବ ନମୁନା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି।

ଉଲ୍ଲେଖଯୋଗ୍ୟ, ବ୍ରିଟେନରୁ ଦିଲ୍ଲୀରେ ପହଞ୍ଚିବା ପରେ ମହିଳାଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଥିଲା। ନିଜ କରୋନା ରିପୋର୍ଟ ବିଷୟରେ ଅଜଣା ଥିବା ମହିଳାଜଣକ ପୁଅ ସହ ଦିଲ୍ଲୀରୁ ଆନ୍ଧ୍ରପ୍ରଦେଶର ହୁକୁମପେଟକୁ ଯାତ୍ରା ଆରମ୍ଭ କରିଥିଲେ। ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜାଣି ଖୋଜାଖୋଜି ଆରମ୍ଭ ହେବା ପରେ ସେ ଦିଲ୍ଲୀରୁ ଭାଇଜାଗ ଯାଉଥିବା ଟ୍ରେନରେ ଥିବା ଜଣା ପଡ଼ିଥିଲା। ଏନେଇ ସ୍ଥାନୀୟ ପୁଲିସକୁ ସୂଚନା ଦିଆଯିବା ପରେ ସେମାନେ ଦୁହିଁଙ୍କୁ ରାଜମୁଣ୍ଡ୍ରୀରେ ଓହ୍ଲାଇ ସରକାରୀ ସଙ୍ଗରୋଧ କେନ୍ଦ୍ରକୁ ପଠାଇଦିଆଯାଇଥିଲା। ଏବେ ଦୁହେଁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ମହିଳାଙ୍କ ପୁଅଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି।