ଡର୍ବି: ଗୋଟିଏ ମୁଥ ମାରି ଜଣେ ଅବସରପ୍ରାପ୍ତ ୮୨ ବର୍ଷିୟ ସୈନିକଙ୍କ ପ୍ରାଣ ନେଇଥିବା ଇଂଲଣ୍ଡ୍ର ଜଣେ ତରୁଣଙ୍କୁ ବାଳ ଅପରାଧୀ ପ୍ରତିଷ୍ଠାନରେ ରଖାଯିବା ପାଇଁ ଦଣ୍ଡାଦେଶ ହୋଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି, ଘଟଣାଟି ୨୦୨୧ ମେ ମାସରେ ଡର୍ବି ବସ୍ଷ୍ଟାଣ୍ଡ୍ରେ ଘଟିଥିଲା। ସେଠରେ ୧୬ ବର୍ଷିୟ ବାଳକ ମୌମେକ୍ ୮୨ ବର୍ଷିୟ ଡେନିସ୍ କ୍ଲେର୍କଙ୍କୁ ଆକ୍ରମଣ କରିଥିଲେ। ସୁପର ମାର୍କେଟ୍ରୁ କିଣାକିଣି କରି ସାରି ଡେନିସ୍ ଘରକୁ ଫେରୁଥିବା ବେଳେ ଦେଖିଲେ ଓମାର୍ ଓ ତା’ର ସାଥୀମାନେ ଗୋଟାଏ ‘ଏସ୍କେଲେଟର୍’ରେ (ମଟର ଚାଳିତ ପାହାଚ) ବଦମାସି କରୁଛନ୍ତି। ତାଙ୍କ ଉପରେ ବିରକ୍ତ ହୋଇ ଡେନିସ୍ ସୁପର୍ ମାର୍କେଟ୍ରୁ ଚାଲି ଆସିଲେ। କିନ୍ତୁ, ଓମାର୍ ତାଙ୍କ ପଛେ ପଛେ ଯାଇ ବସ୍ ଷ୍ଟେସନ୍ରେ ତାଙ୍କୁ ଆକ୍ରମଣ କଲା। ସେନାବାହିନୀରେ ଭର୍ତ୍ତି ହୋଇ ସୈନିକ ଭାବେ ସିଙ୍ଗାପୁରରେ କାମ କରିଥିବା ପୂର୍ବତନ ଯବାନ ଡେନିସ୍ଙ୍କୁ ଓମାର୍ ଖୁବ୍ ଜୋର୍ରେ ଗୋଟାଏ ମୁଥ ମାରି ତଳେ ପକାଇ ଦେଲା। କିନ୍ତୁ, ପରେ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଓମାରଙ୍କୁ ତୁରନ୍ତ ପୁଲିସ ଗିରଫ କରିଥିଲା।
ମୁଥ ଆଘାତରେ ତଳେ ପଡ଼ିଯିବାରୁ ୮୨ ବର୍ଷିୟ ଡେନସ୍ଙ୍କ ଖପୁରି ଫାଟି ମସ୍ତିଷ୍କରୁ ରକ୍ତସ୍ରାବ ହୋଇଥିଲା। ଏହାର ୯ ଦିନ ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଥାଇ ତାଙ୍କର ମୃତ୍ୟୁ ଘଟିଲା।
ଡର୍ବିସାୟାର୍ ପୁଲିସ ବି ଉକ୍ତ ଆକ୍ରମଣର ବିବ୍ରତକାରକ ଫୁଟେଜ୍ ରିଲିଜ୍ କରିଛି। ସମ୍ପ୍ରତି ୧୮ ବର୍ଷ ବୟସରେ ପଦାର୍ପଣ କରିଥିବା ଓମାର୍ଙ୍କୁ ଗତ ଜୁଲାଇ ମାସରେ ନରହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଶୁକ୍ରବାର ଦିନ ଡର୍ବି କ୍ରାଉନ୍ କୋର୍ଟ ତାଙ୍କୁ ୨ ବର୍ଷ ଅଟକ ଦଣ୍ଡାଦେଶ ଦେଇଛନ୍ତି। କିନ୍ତୁ, ତଦନ୍ତ ସମୟରେ ଗିରଫ ହୋଇଥିବା ଓମାରଙ୍କର ଆଉ ୨ଜଣ ସାଥିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।