ଇଂଲଣ୍ଡରେ ରହୁଥିବା ଦୁଇ ଭାରତୀୟ ବଂଶୋଦ୍ଭବ ପଡ଼ୋଶୀଙ୍କ ବିବାଦ କାରଣରୁ ଚିରା ହେଲା ଜିଅନ୍ତା ‘କନିଫର୍‌’ ଗଛ

ନୂଆଦିଲ୍ଲୀ: ଉତ୍ତର ଇଂଲଣ୍ଡ ସିଫଲ୍‌ଡ୍ ଅନ୍ତର୍ଗତ ୱାଟର୍‌ଥ୍ରୋପ୍‌ରେ ‌ପଡ଼ୋଶୀ ଭାବେ ରହୁଥିବା ଦୁଇଟି ଭାରତୀୟ ବଂଶୋଦ୍ଭବ ପରିବାର ମଧ୍ୟରେ ଝଗଡ଼ା ଲାଗି ରହିବାରୁ ସେମାନଙ୍କ ଅଗଣା ପାଚିରି ମଝିରେ ଥିବା ଗୋଟାଏ ‘କନିଫର୍‌ଗଛ’କୁ ଦୁଇଫାଳ କରାଯାଇଛି। (‘କନିଫର୍‌’ ହେଉଛି ଦେବଦାରୁଗଛ ଭଳି ଦିଶୁଥିବା ଏବଂ ଝାଉଁଗଛର ପତ୍ର ପରି ଛୁଞ୍ଚି ସଦୃଶ ପତ୍ର ଥିବା ‌ଏକ ଜାତୀୟ ଚିରଶ୍ୟାମଳ ଗଛ।)

୫୬ ବର୍ଷିୟ ପଡ଼ୋଶୀ ଭରତ ମିସ୍ତ୍ରୀ କହିବା ଅନୁସାରେ, ଝଙ୍କା ‌ହୋଇ ବଢ଼ିଥିବା ସେ ଗଛଟିରେ ଅନେକ ପାରା ଆସି ରହିବା ସହ ଲେଦା ପକାଇ (ମଳତ୍ୟାଗ କରି)  ଅଗଣା ଅପରିଷ୍କାର କରୁଛନ୍ତି ବୋଲି ତାଙ୍କ ପଡ଼ିଶା ଅଭିଯୋଗ କରି ଆସୁଥିଲେ।

Image Courtesy of BBC

ଉପରୋକ୍ତ କଥାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଅଧିକାଂଶ ଦିନ ପାଟିତୁଣ୍ଡ ହେବାରୁ ସେମାନେ ଆପୋସ ଉପାୟ ଚିନ୍ତା କରୁଥିଲେ। କିନ୍ତୁ, ସମାଧାନ ବାଟ ବାହାରିବା ପୂର୍ବରୁ ମିସ୍ତ୍ରୀଙ୍କ ପଡ଼ୋଶୀ ଜଣେ ‘ଟ୍ରି ସର୍ଜନ୍‌’ଙ୍କୁ (ବୃକ୍ଷ ଶଲ୍ୟ ଚିକିତ୍ସକ) ଡକାଇ ଜିଅନ୍ତା ଗଛଟିର ଅଗରୁ ମୂଳ ପର୍ଯ୍ୟନ୍ତ ଚିରି ପକାଇଛନ୍ତି। ମିସ୍ତ୍ରୀ ଏ ଘଟଣାରେ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଖୁବ୍ ଶୋଭାବନ୍ତ ଏବଂ ଆକର୍ଷଣୀୟ ହୋଇ ବଢ଼ିଥିବା ଗଛଟି ଏବେ ମରିବ କି, ବଞ୍ଚିବ ଏଇ ଚିନ୍ତା ତାଙ୍କୁ ଘାରୁଛି।

ପାଖରେ ବସବାସ କରୁଥିବା ଅନ୍ୟ ପଡ଼ିଶାମାନେ କହନ୍ତି ଯେ, ୨୮ ବର୍ଷ ଧରି ପଡ଼ୋଶୀ ଭାବେ ଚଳି ଆସୁଥିବା ଦୁଇ ପରିବାର ମଧ୍ୟରେ ବେଶ୍‌ କିଛି ଦିନ ହେବ ସେ ‘କନିଫର୍‌ଗଛ’ ପାଇଁ ପାଟିତୁଣ୍ଡ ଚାଲିଥିଲା।

Image Courtesy of BBC

ବିବାଦ ପୂର୍ବରୁ ଭରତ ମିସ୍ତ୍ରୀ ପଡ଼ୋଶୀଙ୍କ ଅନୁମତି ନେଇ ମାଳୀ ଡକାଇ ସେ ଗଛଟିକୁ ବର୍ତ୍ତୁଳାକାର (ଗୋଲାକାର) କରି କାଟିବାରୁ ତାହା ଅଧିକ ଆକର୍ଷଣୀୟ ଦିଶୁଥିଲା। କିନ୍ତୁ, ଦୁର୍ଯୋଗକୁ ପାରାମାନେ ଆସି ସେ ଗଛରେ ବସାବାନ୍ଧିବାରୁ ବିବାଦ ଆରମ୍ଭ ହେଲା।

ଜିଅନ୍ତା ‘କନିଫର’ଗଛଟିକୁ ଚିରି ଦେଇଥିବା ଉକ୍ତ ପଡ଼ୋଶୀଙ୍କ ଠାରୁ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଘଟଣାଟି ଭାଇରାଲ୍‌ ହୋଇଯିବାରୁ ସେ ଗଛଟିକୁ ଦେଖିବାକୁ ବିଭିନ୍ନ ଆଡୁ ଲୋକ ଆସି ପହଞ୍ଚୁଛନ୍ତି।

ସମ୍ବନ୍ଧିତ ଖବର