ଭାରତର ସ୍ୱାଧୀନତା ଦିବସରେ ଦୁଷ୍ପ୍ରାପ୍ୟ ଚୋରି ଜିନିଷ ଫେରାଇଲେ ଇଂଲଣ୍ଡ ଏବଂ ଆମେରିକା

ଲଣ୍ଡନ: ଭାରତରୁ ଚୋରି ହୋଇଥିବା ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁରେ ତିଆରି ଦୁଇଟି ଦୁଷ୍ପ୍ରାପ୍ୟ ଜିନିଷକୁ ଗୁରୁବାର ଦିନ ସ୍ୱାଧୀନତା ଦିବସ ଅବସରରେ ଭାରତୀୟ ହାଇକମିସନର୍‌ ରୁଚି ଘନଶ୍ୟାମଙ୍କୁ ହସ୍ତାନ୍ତର କରାଯାଇଛି। ଆମେରିକୀୟ ଏବଂ ବ୍ରିଟିଶ୍‌ ଏଜେନ୍‌ସି ମିଳିତଭାବେ ଏହି ଚୋରି ଜିନିଷର ତଦନ୍ତ କରିଥିଲେ।

Image Source: Times of India

ସେ ଦୁଇଟି ଜିନିଷ ହେଉଛି ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀର ଚୂନପଥର ଖୋଦେଇ ମୂର୍ତ୍ତି ଏବଂ ଅନ୍ୟଟି ୧୭ ଶତାବ୍ଦୀରେ ନିର୍ମିତ ନବନୀତ କୃଷ୍ଣଙ୍କର କାଂସ୍ୟ ପ୍ରତିମା। ବିଶ୍ୱର ସବୁଠୁ ଅଧିକ କଳାକୃତି ଚୋରାଉଥିବା ଚୋରାଚାଲାଣକାରୀଙ୍କ ଠାରୁ ସ୍କଟ୍‌ଲାଣ୍ଡ୍‌ ୟାର୍ଡର ଅଧିକାରୀଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା।

ପ୍ରାଚୀନ ସାମଗ୍ରୀ ଦୁଇଟି ଉଦ୍ଧାର କରି ଫେରସ୍ତ କରିଥିବାରୁ ଘନଶ୍ୟାମ ‘ହୋମ୍‌ଲାଣ୍ଡ୍‌ ସିକ୍ୟୁରିଟି ଇନ୍‌ଭେଷ୍ଟିଗେସନ୍‌’ ଟିମ୍‌ ଏବଂ ‘ମାନ୍‌ହାଟନ୍‌ ଡିଷ୍ଟ୍ରିକ୍ଟ୍‌ ଆଟର୍ଣ୍ଣିଜ୍‌ ଅଫିସ୍‌’ଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଆଶା କରିଛନ୍ତି ଯେ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କର ବିଚାର ସରିଲେ ଭାରତକୁ ଏ ଭଳି ୨୦୦ରୁ ଅଧିକ ଜିନିଷ ଫେରସ୍ତ ମିଳିବ।

ଲଣ୍ଡନସ୍ଥିତ ଇଣ୍ଡିଆ ହାଉସ୍‌ରେ ସ୍ୱାଧୀନତା ଦିବସ ପାଳନର ଅଂଶ ଥିଲା ଏହି ହସ୍ତାନ୍ତର କାର୍ଯ୍ୟକ୍ରମ।

ସମ୍ବନ୍ଧିତ ଖବର