ତେହେରାନ୍ ବିମାନ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୭୬ ଛୁଇଁ‌ଲା, ଦୁର୍ଘଟଣା ଏଡ଼ାଇବା ଲାଗି ପାଇଲଟଙ୍କ ଶେଷ ଉଦ୍ୟମ ବିଫଳ ହୋଇଥିଲା

ଦୁବାଇ: ୨୦୨୦ ମସିହାର ସର୍ବପ୍ରଥମ ବଡ଼ ବିମାନ ଦୁର୍ଘଟଣା ଇରାନର ରାଜଧାନୀ ତେହେରାନରେ ଘଟିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ  ମଝି ଆକାଶରେ ଜଳିଯାଇଛି ବୋଇଙ୍ଗ୍‌ ୭୩୭ ବିମାନ। ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ମର୍ମନ୍ତୁଦ ଦୁର୍ଘଟଣାରେ  ବିମାନର ସମସ୍ତ ୧୭୬ ଯାତ୍ରୀ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ବିମାନରେ ଥିବା ୧୬୭ ଯାତ୍ରୀ ଓ ୯ ଜଣ ବିମାନ କର୍ମଚାରୀଙ୍କ ମଧ୍ୟରୁ  କେହି ଜଣେ ହେଲେ ଜୀବନ ବଞ୍ଚାଇ ପାରି ନାହାନ୍ତି। ବିମାନଟି ଉଡାଣ କରିବାର ଅଳ୍ପ କିଛି ସମୟ ମଧ୍ୟରେ ଏକ ଅଗ୍ନିପିଣ୍ଡୁଳା ପାଲଟି ଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଉଲ୍ଲେଖଯୋଗ୍ୟ, ପ୍ରଥମ‌େ ବିମାନ ଦୁର୍ଘଟଣାର ଖବର ଆସିବା ବେଳେ ଏଥିରେ ୧୮୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା, ମାତ୍ର ପରେ ଏହା ୧୭୦ ବୋଲି ପ୍ରକାଶିତ ହୋଇଥିଲା। ତେବେ ଏଯାବତ୍ ସର୍ବଶେଷ ଖବର ଅନୁସାରେ ଏହି ଭୟବହ ଦୁର୍ଘଟଣାରେ ସମୁଦାୟ ୧୭୬ ଜଣ ମୃତ୍ୟୁମୁଖରେ ପଡ଼ିଥିବା ସ୍ପଷ୍ଟ ହୋଇଛି।

ୟୁକ୍ରେନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ଲାଇନ୍‌ର ବୋଇଙ୍ଗ୍‌ ୭୩୭ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ପ୍ରଥମେ ‘ଫାର୍‌ସ୍‌’ ଖବର ସରବରାହ ସଂସ୍ଥା ବୁଧବାର ସକାଳେ ଟୁଇଟ୍‌ କରିଥିଲା । ସୂଚନା ଅନୁସାରେ, ୧୬୭ ଜଣ ଯାତ୍ରୀଙ୍କୁ ନେଇ ଇରାନ୍‌ର ଇମାମ୍‌ ଖୋମିନି ବିମାନ ବନ୍ଦରରୁ ସେ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ଉଡାଣର ଅଳ୍ପକିଛି ସମୟ ପରେ ପାଇଲଟ୍ ଯାନ୍ତ୍ରିକ ତ୍ରୁଟି ସଂପର୍କରେ ଜାଣିବାକୁ ପାଇଥିଲେ। ସେ ତୁରନ୍ତ ବିମାନକୁ ଅବତରଣ କରିବାକୁ ଉଦ୍ୟମ କରିଥିଲେ, ମାତ୍ର ଏଥିରେ ସେ ଅସଫଳ ରହିଥିଲେ। ପରେ ପରେ ବିମାନରେ ନିଆଁ ଲାଗି ଯାଇଥିଲା।

Image Source : https://en.trend.az/iran/society

ଅନ୍ୟ ପକ୍ଷରେ ଇରାନ ବିମାନସେବା କର୍ତ୍ତୃପକ୍ଷ କହିଛନ୍ତି, ୟୁକ୍ରେନ୍‌ ଇଣ୍ଟର୍‌ନ୍ୟାସନାଲ୍ ଏୟାର୍‌ଲାଇନ୍‌ର ବୋଇଙ୍ଗ୍‌ ୭୩୭-୮୦୦ ବୁଧବାର ସକାଳେ ବିମାନ ବନ୍ଦର ଛାଡ଼ିବାର ଅଳ୍ପ କିଛି ମୁହୂର୍ତ୍ତ ମଧ୍ୟରେ ଏଟିସି ସହିତ ତାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା। ଏହାପରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ଆସିଥିଲା। ଇରାନର ରାଜଧାନୀ ତେହେରାନର ଉପାନ୍ତ ଇଲାକା ପରନ୍ଦ ଓ ଶାହରିଆର୍ ମଧ୍ୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଖବର ମିଳିବା ପରେ ସଙ୍ଗେ ସଙ୍ଗେ ଦୁର୍ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଯାଇଥିବା କଥା ଇରାନ୍‌ର ବେସାମରିକ ବିମାନ ଚଳାଚଳ ସଂସ୍ଥାନର ମୁଖପାତ୍ର ରେଜା ଜାଫର୍‌ଜାଦେ ସରକାରୀ ଟେଲିଭିଜନକୁ କହିଛନ୍ତି।

ଇରାନ୍‌ ଜରୁରୀକାଳୀନ ସେବାର ମୁଖ୍ୟ ଫିର୍‌ହୁସେନ୍‌ କୁଲିବନ୍ଦ କହିଛନ୍ତି, ’ବିମାନଟି ଜଳୁଥିବା ବେଳେ ଆମେ ଉଦ୍ଧାରକାରୀ ଦଳ ପଠାଇଥିଲୁ । ଆଶା କରିଥିଲୁ ହୁଏତ କିଛି ଯାତ୍ରୀଙ୍କୁ ଆମେ ବଞ୍ଚାଇ ପାରିବୁ। କିନ୍ତୁ ତାହା ସମ୍ଭବ ହୋଇ ନଥିଲା।  ଜ୍ୱଳନ୍ତ ଅବସ୍ଥାରେ ଆକଶରୁ  ବିମାନଟି ଖସିପଡ଼ିଥିଲା।

ଅନ୍ୟପକ୍ଷରେ ଇରାନ୍ ଇରାକସ୍ଥିତ ଆମେରିକାର ସାମରିକଘାଟୀ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାର କିଛି ସମୟ ପରେ ଏହି ବିମାନ ଦୁର୍ଘଟଣା ଘଟିଛି। ଇରାକ୍‌ର ପଶ୍ଚିମରେ ଥିବା ଅନବର ପ୍ରଦେଶର ‘ଆଇନ ଅସାଦ’ ଏୟାର୍‌ବେସ୍‌ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିବା କଥା  ବୁଧବାର ସକାଳେ ଇରାନ୍‌ର ବିପ୍ଳବୀ ସଂଗଠନ ‘ରିଭୋଲ୍ୟୁସନାରି ଗାର୍ଡ’ କହିଥିଲା। ଏଥିସହ ‘ରିଭୋଲ୍ୟୁସନାରି ଗାର୍ଡ’ ପକ୍ଷରୁ କୁହାଯାଇଥିଲା,  ଆମେରିକାର ସମସ୍ତ ମିତ୍ରରାଷ୍ଟ୍ରମାନଙ୍କୁ ଚେତାବନୀ ଦେଉଛୁ- ଯେଉଁମାନଙ୍କ ଏୟାର୍‌ବେସ୍‌ରୁ ଇରାନ୍‌ ଉପରେ ଆକ୍ରମଣ ହେବାର ସମ୍ଭାବନା ସୃଷ୍ଟି ହେବ, ଆମେ ସେଠାରେ ଆକ୍ରମଣ କରିବୁ।

ସମ୍ବନ୍ଧିତ ଖବର